କଲମ୍ବୋ: ଶ୍ରୀଲଙ୍କାରେ ଉଗ୍ରରୂପ ନେଇଛି ଉତ୍କଟ ଆର୍ଥିକ ସଙ୍କଟ । ଚାରିଆଡ଼େ ପଡ଼ିଛି ହାହାକାର । ଦିନକୁ ଦିନ ସ୍ଥିତି ବିଗୁଡୁଥିବାବେଳେ ଏହାରି ମଧ୍ୟରେ ଆସିଛି ଏକ ବିଚଳିତ କଲା ପରି ଦୃଶ୍ୟ । ପେଟ ପାଉଣା ପାଇଁ ଏବେ ସୁନା ଅଳଙ୍କାର ବିକ୍ରି କରୁଛନ୍ତି ଦେଶବାସୀ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେବା ପରେ ଏହାକୁ କିଣିବା ପାଇଁ ବାଧ୍ୟ ହୋଇ ଅଳଙ୍କାର ବିକ୍ରି କରିବା ପାଇଁ ସୁନା ଦୋକାନ ଆଗରେ ଲାଗିଛି ଲାଇନ ।
ଏଭଳି କରୁଣ ଦୃଶ୍ୟ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ଏକ ପ୍ରସିଦ୍ଧ ଗୋଲ୍ଡ ସେଣ୍ଟରରେ ଦେଖିବାକୁ ମିଳିଛି । ଲୋକମାନେ ଘରଭଡ଼ା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସୁନା ଅଳଙ୍କାର ବିକ୍ରି କରୁଛନ୍ତି । ପୂର୍ବରୁ ଶ୍ରୀଲଙ୍କାରେ କେବେ ହେଲେ ଏଭଳି ସଙ୍କଟ ଦେଖିବାକୁ ମିଳିନଥିଲା । ଏଠାରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନାକୁ ୧ ଲକ୍ଷ ୮୫ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ଏ ସମ୍ପର୍କରେ ଜଣେ ସୁନା ବ୍ୟବସାୟୀ ସୂଚନା ଦେଇଛନ୍ତି ।
ବିଶ୍ବରେ ଏବେ ଶ୍ରୀଲଙ୍କାର ମୁଦ୍ରାର ଦାମ ବହୁଳ ମାତ୍ରାରେ ହ୍ରାସ ପାଇଛି । ୧୯୪୮ ମସିହା ଦେଶ ସ୍ବାଧୀନତା ହେବା ପରେ ଏହା ସବୁଠୁ ବଡ ଆର୍ଥିକ ସଙ୍କଟ । ଏକ ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ ଖସି ୩୧୫ରେ ପହଞ୍ଚିଛି । ଯାହାକି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସେପଟେ ସୁନା ଦର ମଧ୍ୟ ଅସ୍ଥିର ରହିଛି । ଶ୍ରୀଲଙ୍କା ମୁଦ୍ରା ଅନୁସାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଏବେ ୧ ଲକ୍ଷ ୯୫ ହଜାର ଟଙ୍କା ରହିଛି । ଫଳରେ ଶ୍ରୀଲଙ୍କା ନାଗରିକମାନେ ସୁନା ଅଳଙ୍କାର ବିକ୍ରି ପାଇଁ ସହରର ବିଭିନ୍ନ ସୁନା ଦୋକାନରେ ଲମ୍ବା ଲାଇନ ଲଗାଇଛନ୍ତି ।