କଲମ୍ବୋ: ଅଶାନ୍ତ ରହିଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଉଗ୍ର ରୂପ ନେଇଛି । ଜନତାଙ୍କ ଆକ୍ରୋଶ ଥମିବାରେ ନାଁ ନେଉନାହିଁ । ଚାରିଆଡେ ହିଂସାତ୍ମକ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ପୁଣି ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । କାମଚଳା ରାଷ୍ଟ୍ରପତି ରାନିଲ୍ ୱିକ୍ରମସିଂଘେ ପୁଣି ଥରେ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି ।
ପରିସ୍ଥିତି ଅଣାୟତ୍ତ ରହିଥିବାର ଦେଖି ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପୁଣି ଥରେ ଦେଶରେ ଜାରି ହୋଇଛି ଜରୁରୀ ପରିସ୍ଥିତି । ଆଜି ପୁନର୍ବାର ଅଶାନ୍ତ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇସାରିଛନ୍ତି ଗୋଟାବାୟା ରାଜପକ୍ଷେ । ସେ ଶ୍ରୀଲଙ୍କା ଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ । ଏହାପରେ ସେଠାରୁ ସିଙ୍ଗାପୁର ଗସ୍ତ କରିଥିଲେ । ସିଙ୍ଗାପୁରରେ ପହଞ୍ଚିବା ପରେ ସେ ବିଧିବଦ୍ଧ ଭାବରେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ । ଦେଶରେ ରାଜନୈତିକ ସଙ୍କଟ ଦେଖାଦେବା ପରେ ଲଗାତରା ଗୋଟାବାୟାଙ୍କ ଇସ୍ତଫା ଦାବି କରି ଆସୁଥିଲେ ଆନ୍ଦୋଳନକାରୀ ।