ଇସ୍ତାନବୁଲ: ତୁର୍କୀରେ ଆଜି ସକାଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅପରାହ୍ନରେ ପୁଣି ଏକ ଭୂକମ୍ପର ଝଟକା ଲାଗିଛି । ଅପରାହ୍ନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ମଧ୍ୟ 7.5 ମ୍ୟାଗ୍ନିଚ୍ୟୁଡ ରହିଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନରେ ହୋଇଥିବା ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା 13 ଶହ ଅତିକ୍ରମ କଲାଣି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ ଅପରେସନ ଜାରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ଯଥେଷ୍ଟ ରହିଛି ।
ଅପରାହ୍ନରେ ହୋଇଥିବା ଭୂକମ୍ପ ତୁର୍କୀ ସମେତ ସିରିଆ ଓ ଫିନଲ୍ୟାଣ୍ଡର ମଧ୍ୟ କିଛି ସ୍ଥାନରେ ଅନୁଭୂତ ହୋଇଛି । ତୁର୍କୀରେ ମାତ୍ର 24ଘଣ୍ଟା ମଧ୍ୟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପର ଝଟକା ଲାଗିଛି । ପ୍ରଥମ ଭୂକମ୍ପରେ ଉଦ୍ଧାର ଅପରେସନ ଜାରି ରହିଥିଲା ବେଳେ ଦ୍ବିତୀୟର କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନି । ପ୍ରଥମର ତୀବ୍ରତା 7.8 ମ୍ୟାଗ୍ନିଚ୍ୟୁଡ ରହିଥିଲା । ସେହିପରି ଦ୍ବିତୀୟର ତୀବ୍ରତା 7.5 ରେକର୍ଡ କରାଯାଇଛି । ଆମେରିକାର ଜିଓଲୋଜିକାଲ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ଭୂକମ୍ପର ଉତ୍ପତିସ୍ଥଳ ତୁର୍କୀର ଗାଜିଆନବାଦର ସହରରୁ 33 କି.ମି ଦୂରରେ ରହଛି । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ 18 କି.ମି ବା 11 ମାଇଲ ଗଭୀରରେ ରହିଛି ।