ଦୁବାଇ: ଦୁବାଇର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଆଁରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୪ଜଣ ଭାରତୀୟ ରହିଥିବା ଜଣାପଡିଛି । ମୃତ ଭାରତୀୟଙ୍କ ମଧ୍ୟରେ ଜଣେ କେରଳ ଦମ୍ପତି ରହିଥିଲେ । ଏନେଇ ଆଜି ସ୍ଥାନୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଦୁବାଇର ସିଭିଲ ଡିଫେନ୍ସ ଅପରେସନ ରୁମର ତଥ୍ୟ ଅନୁସାରେ, ଶନିବାର ମଧ୍ୟାହ୍ନ ୧୨ଟା ୩୫ ମନିଟରେ ଏହି ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ଲୋକେ ବାହାରକୁ ବାହିରି ନପାରି ପ୍ରାଣ ହରାଇଥିଲେ ।
ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, " ଶନିବାର ମଧ୍ୟାହ୍ନ ୧୨ଟା ୩୫ ମିନିଟ ସମୟରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପନବସତି ଅଞ୍ଚଳରେ ଥିବା ଏକ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଆଡେ ବ୍ୟାପୀ ଯାଇଥିଲା । ତେବେ ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁର ପ୍ରକୋପ ଅଧିକ ରହିଥିବାରୁ ଆୟତ୍ତ କରିବା ପାଇଁ ନାକେଦମ ହେବାକୁ ପଡିଥିଲା । ଅପରାହ୍ନ ୨ଟା ୪୨ରେ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଆୟତ୍ତ କରିଯାଇଥିଲା ।"