ୱାଶିଂଟନ:ଆମେରିକା ଆକାଶରେ ଉଡୁଛି ଚୀନର ଗୁଇନ୍ଦା ବେଲୁନ । ପ୍ରଥମେ ଆମେରିକାର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଗୁଇନ୍ଦା ବେଲୁନ ଉଡିବା ପରେ ଏବେ ଲାଟିନ ଆମେରିକା ଆକାଶରେ ଆଉ ଏକ ବିରାଟକାୟ ବେଲୁନ ଠାବ କରାଯାଇଛି । ଏନେଇ ଶୁକ୍ରବାର ରାତିରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ଗୁଇନ୍ଦାଗିରି କରିବା ଉଦ୍ଦେଶ୍ୟରେ ଏହି ବେଲୁନ ଛଡାଯାଇଥିବା କୁହାଯାଇଛି ।
ଏନେଇ ପେଣ୍ଟାଗନର ମୁଖପାତ୍ର ପାଟ୍ରିକ ରାଇଡର ଏକ ବିବୃତ୍ତିରେ କହିଛନ୍ତି ଯେ, ଲାଟିନ ଆମେରିକାରେ ଆଉ ଏକ ବେଲୁନ ଦେଖାଯାଇଥିବା ଖବର ମିଳିଛି । ଏହା ଚୀନର ଦ୍ବିତୀୟ ଗୁଇନ୍ଦା ବେଲୁନ ହୋଇଥିବା ଆମେ ସନ୍ଦେହ କରୁଛୁ । ଏହାପୂର୍ବରୁ ଆମେରିକାର ମୋଣ୍ଟାନା ଆକାଶରେ ଉଡୁଥିବା ବେଲୁନ ଉପରେ କିଛି ଦିନ ହେଲା ଆମେରିକା ସରକାର ନଜର ରଖିଛନ୍ତି । ଏହି ବେଲୁନ ଉତ୍ତର ଆମେରିକାରେ ପ୍ରବେଶ କରି ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ମୋଣ୍ଟାନା ଉପରେ ଉଡୁଛି । ମୋଣ୍ଟାନା ଦେଶର ଏକ କମ୍ ଜନବହୁଳ ରାଜ୍ୟ ହୋଇଥିବାବେଳେ ଏଠାରେ ଆଣବିକ ମିଶାଇଲ ରହିଛି । ତେଣୁ ଆଣବିକ ଅସ୍ତ୍ରଶସ୍ତ୍ରର ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ ଏହି ବେଲୁନ ଛାଡିଥିବା ସନ୍ଦେହ କରାଯାଉଛି ।