କମ୍ପାଲା: ଉଗାଣ୍ଡର ଏକ ସ୍କୁଲରେ ବିଦ୍ରୋହୀ ଉଗ୍ରବାଦୀଙ୍କ ଆକ୍ରମଣରେ 25 ଜଣ ପ୍ରାଣ ହରାଇଛନ୍ତି । ପଶ୍ଚିମ ଉଗାଣ୍ଡାରେ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ 8 ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଆକ୍ରମଣ ନେଇ ଉଗାଣ୍ଡା ପୋଲିସ ଓ ସେନା ପକ୍ଷରୁ ସୂଚନା ମିଳିଛି । ଆଲଏଡ ଡେମୋକ୍ରାଟିକ ଫୋର୍ସର ରିବେଲ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ପ୍ରାଥମିକ ଭାବେ ପ୍ରକାଶ କରାଯାଇଛି । ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ନିୟନ୍ତ୍ରଣ ନେଇଛି ସେନା ।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମ ଉଗାଣ୍ଡାରେ କଙ୍ଗୋ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏକ ସେକେଣ୍ଡାରୀ ସ୍କୁଲରେ ବିଦ୍ରୋହୀ ଗୋଷ୍ଠୀ ଅଚାନକ ଆକ୍ରମଣ କରିଥିଲେ । ଆଖିବୁଜା ଗୁଳିମାଡ କରିବା ସହ ବିସ୍ଫୋରଣ ମଧ୍ୟ କରିଥିଲେ । କଙ୍ଗୋ ସୀମା ସହ ସମ୍ପୃକ୍ତ ଥିବା ଏହି ଅଞ୍ଚଳରେ ହୋଇଥିବା ଗୁଳିମାଡରେ ଏବେ ସୁଦ୍ଧା ପ୍ରାୟ 25 ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀମାନେ ଆକ୍ରମଣ କରି ନରସଂହାର କରିବା ସହ ସ୍କୁଲରେ ଥିବା ଖାଦ୍ୟ ସାମଗ୍ରୀ ଲୁଟ କରିନେଇଛନ୍ତି । ଆଖୁବୁଜା ଗୁଳିମାଡରେ ଏବେ 8 ଆହତ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଗାଣ୍ଡା ଫୋର୍ସ ଓ ସ୍ଥାନୀୟ ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଛନ୍ତି ।