ମେଲବର୍ଣ୍ଣ: ଚାରି ସପ୍ତାହର ଲକଡାଉନ କଟକଣା ସତ୍ତ୍ବେ ମେଲବର୍ଣ୍ଣରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଏମିତିରେ ସହରର ମୁଖ୍ୟତଃ 9ଟି ହାଉସିଂ ଟାୱାରରେ ରହୁଥିବା ବାସିନ୍ଦାଙ୍କ ପାଇଁ ଆହୁରି କଡାକଡି ହୋଇଛି କଟକଣା । ଏହି ହାଉସିଂ ଟାୱାରରେ ଲଗାତାର ସଂକ୍ରମଣର ମାତ୍ରା ବଢିଚାଲିଥିବାରୁ ଏହି ଟାୱାରଗୁଡିକରେ ତୃତୀୟସ୍ତରର କଟକଣା ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ 9ଟି ଟାୱାର ବ୍ୟତୀତ ଅନ୍ୟ 3ଟି ଅଞ୍ଚଳରେ ମଧ୍ୟ କଟକଣା କଡାକଡି ହେବାର ଯୋଜନା ରହିଛି ।
ଲାଗୁ ହୋଇଥିବା ନୂଆ କଟକଣା ମୁତାବକ ଏହି ଅଞ୍ଚଳଗୁଡିକରେ ଲୋକେ କେବଳ 4ଟି କାରଣ ପାଇଁ ଘରୁ ବାହାରି ପାରିବେ । ସେ ହେଉଛି ଜରୁରୀ ସେବାରେ ଯୋଗଦାନ ବା ପାଠପଢା ଓ ଶିକ୍ଷାଦାନ, ବ୍ୟାୟାମ, ସ୍ବାସ୍ଥ୍ୟସେବା ଗ୍ରହଣ କରିବା ବା ଯୋଗାଇବା ଓ ଖାଦ୍ୟ ସାମଗ୍ରୀ କ୍ରୟ କରିବା । ଏହା ବ୍ୟତୀତ ଅନ୍ୟ କୌଣସି କାରଣରେ ଲୋକେ ଆଗାମୀ ନିର୍ଦ୍ଦେଶ ଯାଏଁ ଘରୁ ବାହାରି ପାରିବେନି ବୋଲି ସୂଚିତ କରାଯାଇଛି ।
ତେବେ ଫ୍ଲେମିଙ୍ଗଟନ ଓ ଉତ୍ତର ମେଲବର୍ଣ୍ଣସ୍ଥିତ ଏହି 9ଟି ହାଉସିଂ ଟାୱାରରେ ଲକଡାଉ ନିୟମ ଅଧିକ କଡାକଡି କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଠାରେ ସଂକ୍ରମଣ ନିୟନ୍ତ୍ରଣ କରାନଗଲେ ସ୍ଥାନୀୟ ସଂକ୍ରମଣ ଆରମ୍ଭ ହେବାର ଭୟ ରହିଥିବାରୁ ଏହି ଟାୱାରରେ କଟକଣା ଅଧିକ କଡାକଡି ହେବାର ଯୋଜନା ରହିଛି । କେବଳ ଏହି 9ଟି ହାଉସିଂ ଟାୱାରରେ 3000ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ତେଣୁ ସମସ୍ତଙ୍କ ସୁରକ୍ଷା ପାଇଁ ଅତିକମରେ 5 ଦିନ ପାଇଁ କେହି ଘରୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି ।