“ହ୍ୟାଲୋ ! ଫାଟକ ଭିତରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜରରେ ଆପଣଙ୍କ ହାତ ପରିଷ୍କାର କରନ୍ତୁ !”
ଆପଣ ପାଖକୁ ଯିବା ମାତ୍ରେ ଆପଣଙ୍କ ହାତ ଉପରେ ପଇସା ଆକାରରେ ବୁନ୍ଦାଏ ସାନିଟାଇଜର ପଡିଯିବ । ଆଶ୍ଚର୍ଯ୍ୟଚକିତ ହୋଇ ଆପଣ ଫାଟକ ଭିତରେ ପଶିବେ ଏବଂ ସେଠାରେ ଥିବା ଲୋକଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରିବେ । ହଠାତ୍, ଆଉ ଏକ ସ୍ବର ଶୁଭିବ, “ହାତଘଡିକୁ ଛୁଅଁନ୍ତୁ ନାହିଁ” । ଆପଣ ଆଉ ଟିକେ ଆଗକୁ ଯାଇ ସେମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହିଁବେ ଏବଂ ସେଠାରେ ଝୁଲୁଥିବା ଏକ ପଟିରୁ ସତର୍କବାଣୀ ଶୁଭିବ “ଦୂରେଇ ଯାଆନ୍ତୁ!” ବର୍ତ୍ତମାନ ସୁଦ୍ଧା ଆପଣ ବୁଝିସାରିଥିବେ ଯେ ଏଗୁଡିକ ହେଉଛି କୋରୋନା ପ୍ରତିରୋଧକ ଉପକରଣ । ଏହି ଅଭିନବ ଉପକରଣଗୁଡିକୁ ଉଦ୍ଭାବନ କରିଛନ୍ତି ସିର୍ସିଲାର ବୁଦ୍ଧାବାରାପୁ ସ୍ନେହା ଏବଂ ଶ୍ବେତା ।
ଏଇ କିଛି ଦିନ ହେଲା ସାରା ବିଶ୍ବରେ ଆତଙ୍କର ଲହରୀ ଖେଳାଇ ଦେଇଛି କୋଭିଡ୍-19 । ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଲୋକମାନଙ୍କୁ ବାରମ୍ବାର କହୁଛନ୍ତି । କମ୍ପ୍ୟୁଟର ବିଜ୍ଞାନର ଛାତ୍ରୀ ସ୍ନେହା ଏବଂ ଶ୍ବେତା ମଧ୍ୟ ଏ ସଂପର୍କରେ ଚିନ୍ତା କଲେ । ତାଲାବନ୍ଦୀ ଯୋଗୁଁ ଘର ଭିତରେ ରହିବାକୁ ବାଧ୍ୟ ହୋଇଥିବାରୁ ନୂଆ ନୂଆ ଚିନ୍ତାଧାରାକୁ ରୂପରେଖ ଦେବା ଲାଗି ସେମାନଙ୍କ ପାଖରେ ସମୟ ଥିଲା । ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ସେମାନେ ସେମାନଙ୍କ ପରୀକ୍ଷଣରେ ସଫଳ ହେଲେ । 3 ଭୋଲ୍ଟ କ୍ଷମତାସଂପନ୍ନ ଏକ ବ୍ୟାଟେରୀ, ବଜର୍, ସୁଇଚ୍ ଏବଂ ବୋଲ୍ଟ ସେନ୍ସର ବ୍ୟବହାର କରି ସ୍ନେହା ଏକ ହାତଘଡି ତିଆରି କଲେ । ଏହି ହାତଘଣ୍ଟା ପିନ୍ଧିଥିଲେ, ସାମାଜିକ ଦୂରତା ଉଲ୍ଲଙ୍ଘନ କରି କୌଣସି ଲୋକ ହାତ ମିଳାଇବା ଲାଗି ପାଖକୁ ଆସିବା ମାତ୍ରେ ଏହା ସଂକେତ ଦେବ ।