ରିୟାଦ:କୋରୋନା ସଂକ୍ରମଣରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଅନେକ ନାଗରିକ ସ୍ବଦେଶ ଫେରିନପାରି ବିଦେଶରେ ରହିଥିବା ଦେଖିବାକୁ ମିଳିଥିଲା । ଏପରି ସ୍ଥିତିରେ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସମସ୍ତ ଦେଶ ପ୍ରୟାସ ଆରମ୍ଭ କରିଛନ୍ତି । ସାଉଦି ଆରବ ମଧ୍ୟ ଏନେଇ ପ୍ରୟାସ ଜାରି ରଖିଥିବା ବେଳେ ଗୁରୁବାର ଏହି ମିଶନରେ ପ୍ରତିବନ୍ଧକ ଜାରି ହୋଇଥିବା ଜଣାପଡିଛି ।
ବର୍ତ୍ତମାନ କୋରୋନା ସଂକ୍ରମଣର ସ୍ଥିତି ଭୟଙ୍କର ହେବାରେ ଲାଗିଥିବାରୁ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଇଛି ସାଉଦି ଆରବ । ଏହି କ୍ରମରେ ଦେଶକୁ ଫେରିବାକୁ ଥିବା ନାଗରିକଙ୍କ ଉପରେ ମଧ୍ୟ କିଛି ପ୍ରତିବନ୍ଧକ ଜାରି କରିଛି ଦେଶ । ସୂଚନା ଅନୁଯାୟୀ ଏପ୍ରିଲ ମାସରେ ସାଉଦି ଆରବ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ‘ଆୱଦାହ’ ଯୋଜନା ଆରମ୍ଭ କରିଥିଲା । ଏଥିରେ ସ୍ବଦେଶ ଫେରିବାକୁ ଚାହୁଁଥିବା ପ୍ରବାସୀମାନେ ଅନଲାଇନ ରେଜିଷ୍ଟର କରିବାକୁ ହେଉଥିଲା । ସେମାନଙ୍କୁ ଫେରାଇ ଆଣିବା ପାଇଁ ବିମାନ ସେବାର ବ୍ୟବସ୍ଥା କରାଯାଇଥିଲା ।
ହେଲେ ଏହି ଯୋଜନାକୁ ସଂକ୍ରମଣ ଦୃଷ୍ଟିରୁ ଜୁନ ମାସରେ ଦେଶ ବନ୍ଦ କରିଥିଲା । ହେଲେ ଏବେ ପୁଣି ଏଥିରେ କିଛି ପ୍ରତିବନ୍ଧକ ଲଗାଇ ସେବା ଆରମ୍ଭ କରିବା ପାଇଁ ଯୋଜନା କରାଯାଇଛି । ସାଉଦି ପାସପୋର୍ଟର ସାଧାରଣ ନିର୍ଦ୍ଦେଶକ ଜୱାଜାତ ଏନେଇ ସୂଚନା ଦେଇ କହିଛନ୍ତି କି ଆୱଦାହ ଯୋଜନାରେ ବର୍ତ୍ତମାନ ପୁଣି ସେବା ଆରମ୍ଭ ହେବାକୁ ଯାଉଛି । ହେଲେ ଏବେ କେବଳ ଆଇନଗତ ନାଗରିକଙ୍କ ପାଇଁ ଏହି ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି ।