ଓଡିଶା

odisha

ETV Bharat / international

11 ଦିନ ରକ୍ତାକ୍ତ ସଂଘର୍ଷର ଅନ୍ତ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

ଇସ୍ରାଏଲ୍ ଓ ହମାସ୍ ଗୁରୁବାର ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାଫଳରେ 11 ଦିନ ଧରି ଚାଲିଥିବା ହିଂସାତ୍ମକ ଯୁଦ୍ଧର ଅନ୍ତ ଘଟିଛି । ଅଧିକ ପଢନ୍ତୁ...

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା
ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

By

Published : May 21, 2021, 9:03 AM IST

ଜେରୁଜେଲମ୍: ଇସ୍ରାଏଲ୍ ଓ ହମାସ୍ ଗୁରୁବାର ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାଫଳରେ 11 ଦିନ ଧରି ଚାଲିଥିବା ହିଂସାତ୍ମକ ଯୁଦ୍ଧର ଅନ୍ତ ଘଟିଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଅନୁସାରେ, ସୁରକ୍ଷା କ୍ୟାବିନେଟର ବିଳମ୍ବିତ ରାତିରେ ବୈଠକ ପରେ ଇସ୍ରାଏଲ୍ ଇଜିପ୍ଟର ପ୍ରସ୍ତାବକୁ ଗ୍ରହଣ କରିଛି। ହମାସ୍ ମଧ୍ୟ ଏହି ଡିଲକୁ ସମ୍ମାନ ଦେବ ବୋଲି ଘୋଷଣା କରିଛି। ଅସ୍ତ୍ରବିରତି ଘୋଷଣାର ପ୍ରାୟ 3 ଘଣ୍ଟା ପରେ ରାତି 2 ଟାରେ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଛି ।

ପ୍ରତିରକ୍ଷା ଅଧିକାରୀଙ୍କ ସୁପାରିଶ ପରେ ସୁରକ୍ଷା କ୍ୟାବିନେଟ୍ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ହମାସର ରକେଟ ମାଡରେ ଇସ୍ରାଏଲର କ୍ଷତି ହୋଇଛି । ଏହାସହ ହମାସ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ଗାଜାରେ ଅନେକ ଧନଜୀବନ ହାନି ହୋଇଛି ।

ପ୍ରକାଶଥାଉକି, ମେ 10ରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ଅଧ୍ୟା । ଜେରୁଜେଲମରେ ସୁରକ୍ଷା କର୍ମଚାରୀ ମସଜିଦ୍ ମଧ୍ୟରେ ପ୍ରବେଶ କରିବା ପରେ ହମାସ୍ ଆତଙ୍କୀ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲେ । ଏହାପରେ ଇସ୍ରାଏଲ ମଧ୍ୟ ହମାସ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ଗାଜାରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ଇସ୍ରାଏଲ ହମାସକୁ ଟାର୍ଗେଟ କରୁଥିଲା ବେଳେ ହମାସ କିନ୍ତୁ ଇସ୍ରାଏଲର ଜନବସତିକୁ ଟାର୍ଗେଟ କରୁଥିଲା ।

ହମାସ ପ୍ରାୟ 4000 ରକେଟ ମାଡ କରିଛି । ଇସ୍ରାଏଲ ଅନେକ ରକେଟକୁ ଧ୍ବଂସ କରିଥିବା ବେଳେ ଅନେକଙ୍କୁ ଅଟକେଇ ପାରିନଥିଲା । ଉଭୟଙ୍କ ମଧ୍ୟରେ ସଂଘର୍ଷରେ ପାଲେଷ୍ଟାଇନବାସୀଙ୍କ ଅଧିକ କ୍ଷତି ହୋଇଛି । ପ୍ରାୟ 230 ପାଲେସ୍ତିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ 65 ଶିଶୁ ଓ 39 ମହିଳା ରହିଛନ୍ତି । ଏହାସହ 1710 ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ପ୍ରାୟ 58 ହଜାର ସ୍ଥାନାନ୍ତରିତ ହୋଇଛନ୍ତି । ସେପଟେ ଇସ୍ରାଏଲର 12 ଜଣଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ୍ ହମାସକୁ ଏକ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ବୋଲି ବିବେଚନା କରେ । ହମାସ ସରକାର ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ନୁହେଁ।

ସେଭ୍ ଦି ଚାଇଲ୍ଡ ଅନୁଯାୟୀ ଇସ୍ରାଏଲ୍ ବିସ୍ଫୋରଣ ସମଗ୍ର ଅଞ୍ଚଳରେ 50 ରୁ ଅଧିକ ବିଦ୍ୟାଳୟକୁ କ୍ଷତି ପହଞ୍ଚାଇଛି। ତେବେ ମରାମତି କାର୍ଯ୍ୟ ଚାଲିଥିବାବେଳେ ପ୍ରାୟ 42,000 ପିଲାଙ୍କ ପାଇଁ ଶିକ୍ଷା ବ୍ୟାହତ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details