ଇସ୍ତାନବୁଲ: 1500 ବର୍ଷ ପୁରୁଣା ୟୁନେସ୍କୋ ଦ୍ବାରା ହେରିଟେଜର ମାନ୍ୟତା ପ୍ରାପ୍ତ ହାଜିଆ ସୋଫିଆରେ ଆରମ୍ଭ ହୋଇଛି ଶୁକ୍ରବାର ପ୍ରାର୍ଥନା । ପର୍ଯ୍ୟଟନସ୍ଥଳୀରୁ ମସଜିଦରେ ପରିଣତ ହେବା ପରେ ଶୁକ୍ରବାର ପ୍ରଥମ ଥର ମୁସଲିମ ଶ୍ରଦ୍ଧାଳୁଙ୍କ ପାଇଁ ଏହାର ଦ୍ବାର ଖୋଲାଯାଇଥିବା ଜଣାଯାଇଛି । ଦୀର୍ଘ ଦିନର ସଂଘର୍ଷ ପରେ ହାଜିଆ ସୋଫିଆ ମସଜିଦରେ ପରିଣତ ହେବା ପରେ ଏଠାରେ ଶୁକ୍ରବାର ପ୍ରାର୍ଥନା ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏନେଇ ଇସ୍ତାନବୁଲ ରାଜ୍ୟପାଳ ଅଲି ୟେରଲିକାୟାଙ୍କ ସୂଚନା ମୁତାବକ ଶୁକ୍ରବାରର ପ୍ରାର୍ଥନା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଇଚ୍ଛା ପ୍ରକାଶ କରିଥିବା ଦେଖାଯାଇଥିଲା । ହେଲେ କୋରୋନା ମହାମାରୀ ପାଇଁ ଏକସଙ୍ଗେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ପ୍ରାର୍ଥନା ପାଇଁ ଅନୁମତି ନଦେଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ ପ୍ରାର୍ଥନା କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଏଥିରେ ସହଯୋଗ କରିବା ସହ ମାସ୍କ ଓ ନିଜ ମଶିଣାର ବ୍ୟବହାର କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଢେର ପୂର୍ବରୁ ସୂଚାଇ ଦିଆଯାଇଥିଲା ।