ସିଡନୀ: ସାରା ବିଶ୍ବକୁ ଆତଙ୍କିତ କରିଥିବା କୋରୋନା ମହାମାରୀର ପ୍ରତିଷେଧକ ଓ ଚିକିତ୍ସା ପାଇଁ ବିଶ୍ବର କୋଣ ଅନୁକୋଣରେ ଜାରି ରହିଛି ପରୀକ୍ଷା ନିରୀକ୍ଷା । ଏମିତିରେ ଏହି ସଂକ୍ରମଣ ଚିହ୍ନଟ କରିବା ପାଇଁ ଟେଷ୍ଟିଂର ମାତ୍ରା ବଢାଇବା ପାଇଁ ପ୍ରୟାସ ଜାରି ରହିଛି । ଏଥିରେ ଅଷ୍ଟ୍ରେଲିଆନ ଗବେଷକମାନଙ୍କୁ ମିଳିଛି ଏକ ବିଶେଷ ସଫଳତା । ଏମାନଙ୍କ ଦାବି ହେଉଛି କି ସାଧାରଣ ରକ୍ତ ନମୂନା ପରୀକ୍ଷା କରାଯାଇ ମାତ୍ର 20 ମିନିଟରେ କୋଭିଡ-19 ପଜିଟିଭ ଅଛନ୍ତି କି ନାହିଁ ତାହା ଜଣା ପଡିବ ।
ଏଥିପାଇଁ ଏକ ସାଧାରଣ ଅଗ୍ଲୁଟିନିସନ ଆସେକୁ ବିକଶିତ କରିଛନ୍ତି ଗବେଷକ ଦଳ । ଏଥିରେ ରକ୍ତ କଣିକାରେ ଭୂତାଣୁର ଅବସ୍ଥିତି ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ । ଏଥିସହ SARS-CoV-2 ଭୂତାଣୁ ସହ ଲଢେଇ ପାଇଁ ରକ୍ତ କଣିକାରେ ଆଣ୍ଟିବଡିର ସ୍ଥିତି ମଧ୍ୟ ଜଣା ଯାଇପାରିବ । ଏନେଇ ଅଷ୍ଟ୍ରେଲିଆର ମୋନାସ ୟୁନିଭର୍ସିଟିର ଗବେଷକମାନେ 25 ମାଇକ୍ରୋଲିଟର ପ୍ଲାଜମାର ସାମ୍ପଲ ନେଇ ଅଧ୍ୟୟନ କରିଥିଲେ । ଯାହାର ରିପୋର୍ଟ ଏସିଏସ ସେନ୍ସର ପତ୍ରିକାରେ ପ୍ରକାଶିତ ହୋଇଥିଲା ।