କାନବେରା: ଚଳିତବର୍ଷ ଆରମ୍ଭରେ ବିଶ୍ବବାସୀଙ୍କୁ ଚକିତ କରିଥିଲା ଅଷ୍ଟ୍ରେଲିଆର ବୁଶ ଫାୟାର । ଆଖି ପିଛୁଳାକେ ପୋଡି ଯାଇଥିଲା ଲକ୍ଷ ଲକ୍ଷ ଏକର ଜଙ୍ଗଲ । ଦେଖୁ ଦେଖୁ ଭସ୍ମ ହୋଇଗଲେ ଗଛ ସହ ପଶୁ ପକ୍ଷୀ । ବେଶ କିଛି ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏଥିରେ ସାହାଯ୍ୟ ସ୍ବରୂପ ବିଶ୍ବବାସୀ ବଢାଇଥିଲେ ମିଲିୟନ ମିଲିୟନ ଡଲାରର ଫଣ୍ଡ । ହେଲେ ଏହି ଫଣ୍ଡକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର ନକରି କେବଳ ସମ୍ପୃକ୍ତ ଘଟଣାରେ ପ୍ରଭାବିତ ଦିଗରେ ଖର୍ଚ୍ଚ ପାଇଁ ସୋମବାର ଏକ ଅଷ୍ଟ୍ରେଲିଆନ କୋର୍ଟ ଶୁଣାଣି କରିଛନ୍ତି ।
ସୂଚନା ମୁତାବତ ଅଷ୍ଟ୍ରେଲିଆ ବୁଶଫାୟାର ଘଟଣାରେ ପ୍ରଭାବିତ ହୋଇଥିଲେ ଅଷ୍ଟ୍ରେଲିଆନ କମେଡିଆନ ସେଲେଷ୍ଟେ ବାରବରଙ୍କ ପରିବାର । ଏହା ପରେ ସେ ସମ୍ପୃକ୍ତ ଘଟଣାରେ ସାହାଯ୍ୟ ପାଇଁ ଆରମ୍ଭ କରିଥିଲେ ଅପିଲ । ଏହାଦ୍ବାରା ସେ 33 ମିଲିୟନ ଡଲାର ସଂଗ୍ରହ କରିପାରିଥିଲେ । ସମାନ ଭାବେ ଅନେକ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ଅପିଲ କରି 48 ଘଣ୍ଟା ମଧ୍ୟରେ 20 ମିଲିୟନ ଅଷ୍ଟ୍ରେଲିଆନ ଡଲାର ସଂଗ୍ରହ କରିପାରିଥିଲେ । ତେବେ କୋର୍ଟଙ୍କ ମତାନୁଯାୟୀ ଅନେକ ଦାତାଙ୍କ ମନରେ ଏହା ନିଶ୍ଚୟ ଥିବ କି ତାଙ୍କ ଅର୍ଥକୁ ଅନ୍ୟ ସଂସ୍ଥାରେ ବିଭକ୍ତ କରାଯିବ ।