କାନବେରା: ଅଷ୍ଟ୍ରେଲିଆ ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ବ୍ୟାପିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କରିଛି। ଏହାକୁ ଏବେସୁଦ୍ଧାର ସର୍ବବୃହତ୍ତ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ଏହି ଅଗ୍ନିକାଣ୍ଡକୁ 4 ମାସ ବିତିଯାଇଥିଲେ ମଧ୍ୟ ଏହି ନିଆଁ ଆୟତ୍ତ ହେବାର ନାଁ ନେଉନାହିଁ । ତେବେ ଏହି ନିଆଁରେ ଜଳି ଏବେ ସୁଦ୍ଧା ପ୍ରାୟ 48 କୋଟି ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିବା ୟୁନିଭର୍ସିଟି ଅଫ ସିଡନୀର ଇକୋଲୋଜିଷ୍ଟ ଅନୁମାନ କରିଛନ୍ତି ।
ନ୍ୟୁ ସାଉଥ ୱେଲ୍ସର ମଧ୍ୟ-ଉତ୍ତର ଅଞ୍ଚଳରେ ସର୍ବାଧିକ କଙ୍ଗାରୁ ବାସ କରନ୍ତି । କିନ୍ତୁ ଜଙ୍ଗଲର ନିଆଁ ଯୋଗୁଁ କଙ୍ଗାରୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ସେପଟେ ଏହି ନିଆଁ ଯୋଗୁଁ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଚଳିତ ସପ୍ତାହରେ ତଟବର୍ତ୍ତୀ ଅଞ୍ଚଳ ଆଡକୁ ମୁହାଁଉଥିବା ଏହି ନିଆଁ ଯୋଗୁଁ 200ରୁ ଊର୍ଦ୍ଧ୍ବ ଘର ପୋଡି ପାଉଁଶ ହୋଇଯାଇଛି । ସେହିପରି ଏହି ନିଆଁ ଯୋଗୁଁ ପ୍ରଭାବିତ ହୋଇ ଚଳିତ ସପ୍ତାହରେ 18 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।