ପ୍ୟାରିସ୍: ଜଣେ 116 ବର୍ଷୀୟ ଫ୍ରାନ୍ସ ମହିଳା କୋଭିଡକୁ ହରାଇବାରେ ସଫଳ ହୋଇଥିବା ଜଣାପଡିଛି । ଉକ୍ତ ମହିଳାଙ୍କ ନାଁ ଆଣ୍ଡ୍ରେ ଓ ସେ ନିଜର 117 ତମ ଜନ୍ମଦିନ ମଧ୍ୟ ପାଳନ କରିବାକୁ ଆଗ୍ରହ ଦେଖାଇଥିବା ଏକ ଫ୍ରାନ୍ସ ଗଣମାଧ୍ୟମରେ ପ୍ରକାଶ ପାଇଛି । ଜେରୋଣ୍ଟୋଲୋଜି ରିସର୍ଚ୍ଚ ଗ୍ରୁପର ତଥ୍ୟ ଅନୁସାରେ ଏହି ମହିଳା ଜଣଙ୍କ ବିଶ୍ବର ଦ୍ବିତୀୟ ବୟସ୍କ ମହିଳା ଭାବେ ଜଣାଶୁଣା ଓ ତାଲିକାଭୁକ୍ତ ମଧ୍ୟ ଅଟନ୍ତି । ତାଙ୍କୁ ସରକାରୀ ଭାବେ 110 କିମ୍ବା ତଦୁର୍ଦ୍ଧ ବୟସ୍କ ବିବରଣୀରେ ସ୍ଥାନ ମିଳିଥିବା ଜଣାପଡିଛି ।
ଆଣ୍ଡ୍ରେ, ଜଣେ ଦୃଷ୍ଟିହୀନ ମହିଳା ଓ ସେ ଏକ ହ୍ୱିଲ୍ ଚେୟାର ବ୍ୟବହାର କରନ୍ତି, ଯେତେବେଳେ ସେ ନିଜକୁ କୋଭିଡ ସଂକ୍ରମିତ ବୋଲି ଜାଣିବାକୁ ପାଇଲେ ସେ ଆଦୌ ବିଚଳିତ ହୋଇନଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା । ସେ ଚିକିତ୍ସା ହେଉଥିବା କେୟାର ହୋମର ମ୍ୟାନେଜର କହିଛନ୍ତି ଯେ ଉକ୍ତ ମହିଳା ଜଣଙ୍କ ଆଦୌ ଚିନ୍ତିତ ନଥିଲେ ଓ ନିଜ ଅଭ୍ୟାସ ବଦଳିବା ଉପରେ କେବଳ କିଛି ପ୍ରଶ୍ନ ପଚାରିଥିଲେ । ତାଙ୍କର ଜୀବନଶୈଳୀରେ କିଛି ପରିବର୍ତ୍ତନ ହେବ କି ପୂର୍ବଭଳି ସ୍ବାଭାବିକ ରହିବ ତାହା ଉକ୍ତ ବୟସ୍କ ମହିଳା ଜଣଙ୍କ ପଚାରିଥିବା ଜଣାପଡିଛି ।