ଲଣ୍ଡନ: ବ୍ରେକ୍ସିଟ ଅନିଶ୍ଚିତତା ଧିରେ ଧିରେ ବଢିବାରେ ଲାଗିଛି । ବିଶେଷ କରି ବୁଧବାର ୟୁକେ ସଂସଦ ବାତିଲ ଏହାକୁ ଆହୁରି ଅନିଶ୍ଚିତତା ଭିତରକୁ ଠେଲି ଦେଇଛି । ଫଳରେ ବ୍ରେକ୍ସିଟ ଡେଡଲାଇନକୁ ଆଉ ଅଳ୍ପ ସପ୍ତାହ ବାକି ଥିବାବେଳେ ବ୍ରିଟେନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
ପୂର୍ବରୁ ୟୁକେ ସଂସଦ ବାତିଲ ନେଇ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ବୁଧବାର ରାଣୀ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହା ଅନୁସାରେ ଆଜିଠାରୁ 14 ଅକ୍ଟୋବର ଯାଏଁ ସଂସଦ ବାତିଲ ହୋଇଛି । ତେବେ ଅକ୍ଟୋବର 31 ତାରିଖ ବ୍ରେକ୍ସିଟ ଲାଗି ଶେଷ ସମୟସୀମା ଥିବାବେଳେ ୟୁକେ ସଂସଦରେ ଏହା ଉପରେ ଆଲୋଚନା ପାଇଁ ମାତ୍ର ଅଳ୍ପ ସମୟ ରହିବ ।
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ ୟୁରୋପିଆନ ସଙ୍ଘରୁ ବ୍ରିଟେନକୁ ବାଦ ଦେବା ଲାଗି ପ୍ରଧାନମନ୍ତ୍ରୀ ବୋରିସ ଚେଷ୍ଟା ଚଲାଇଛନ୍ତି । ନିକଟରେ ସେ ନୂଆ ପ୍ରଧାନମନ୍ତ୍ରୀ ହେବା ସମୟରେ ଏହି ପ୍ରସଙ୍ଗକୁ ହିଁ ମୁଖ୍ୟ ବିଷୟ ବନାଇଥିଲେ । ଏବେ ସେ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ଆଉ ପାଦେ ଆଗେଇଛନ୍ତି । ଏହି ବାତିଲ ଫଳରେ ୟୁକେ ସାଂସଦଙ୍କ ପାଖରେ ବ୍ରେକ୍ସିଟ ଡିଲ ବଞ୍ଚାଇବା ପାଇଁ ଆଉ ସମୟ ବଞ୍ଚିବ ନାହିଁ । ଏହା ଉପରେ ଆଲୋଚନା ତଥା ବିତର୍କ କରିବାକୁ ମଧ୍ୟ ସେମାନେ ସମୟ ପାଇବେନି । ଅକ୍ଟୋବର 14 ତାରିଖ ପରେ ଆଉ 16 ଦିନ ମଧ୍ୟରେ ଏହା ସମ୍ଭବ ନୁହେଁ । ଯାହା ବୋରିସଙ୍କ ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଲେବର ପାର୍ଟି ଅଭିଯୋଗ କରିଛି ।
ତେବେ ଏହି ନିଷ୍ପତ୍ତି ପରେ ସାଧାରଣ ଲୋକେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ବୁଧବାର ସନ୍ଧ୍ୟାରେ ୱେଷ୍ଟମିନଷ୍ଟରରେ ଶତାଧିକ ପ୍ରତିବାଦକାରୀ ଏହାକୁ ବିରୋଧ କରିଥିଲେ । ବିକ୍ଷୋଭକାରୀ ସଂସଦ ବାହାରେ ବ୍ରେକ୍ସିଟ ସପକ୍ଷବାଦୀ ଓ ୟୁରୋପିଆନ ପତାକା ଧରି ଆନ୍ଦୋଳନ କରିଥିଲେ । ଅନ୍ୟପଟେ ଆସନ୍ତା ଅକ୍ଟୋବର 14ରେ ରାଣୀ ସଂସଦରେ ଉଦବୋଧନ ଦେବେ ବୋଲି ବୋରିସ ସୂଚନା ଦେଇଛନ୍ତି । ଏଥିରେ ରାଣୀ ଏକ ଉତ୍ସାହଜନକ ଏଜେଣ୍ଡା ସମ୍ପର୍କରେ କହିବେ ବୋଲି ସେ କହିଛନ୍ତି ।