ଲଣ୍ଡନ: କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ପରେ ଧିରେ ଧିରେ ସ୍ବାଭାବିକ ହେବାରେ ଇଂଲଣ୍ଡ । ଗୋଟିଏ ପରେ ଗୋଟିଏ ବ୍ୟବସାୟ ସ୍ବାଭାବିକ ହେବାରେ ଲାଗିଥିବା ବେଳେ ପବ୍, ବାର୍, ରେସ୍ତୋରାଁ ଓ କ୍ୟାଫେ ଆଦି ମଧ୍ୟ ଚଳିତ ମାସ ପ୍ରଥମ ସପ୍ତାହରେ ଖୋଲିଛି । ହେଲେ ଏବେ ଏହି ସବୁ ସ୍ଥାନ ବାହାରେ ଧୂମ୍ରପାନ ନିଷେଧ ନେଇ ବିଚାର କରିଛି ୟୁକେ କାଉନସିଲ । ଏହାଦ୍ବାରା କୋରୋନା ମହାମାରୀ ଭଳି ପରିସ୍ଥିତିରେ ଏହି ସାର୍ବଜନୀନ ସ୍ଥାନରେ ପରିବାରିକ ମାହୋଲ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନା ମୁତାବକ ଇଂଲଣ୍ଡ କାଉନସିଲର ପ୍ରତିନିଧିତ୍ବ କରୁଥିବା ଆଞ୍ଚଳିକ ସରକାରୀ ସଂସ୍ଥା(ଏଲଜିଏ) ବର୍ତ୍ତମାନ ଦେଶରେ ବିଭିନ୍ନ ବ୍ୟବସାୟକୁ ସହାୟତା ପାଇଁ ଏକ ବିଲ ପ୍ରସ୍ତୁତ କରୁଛି । ଏହି ବିଲ୍ ଦ୍ବାରା କେବଳ ଗୋଟିଏ ସର୍ତ୍ତରେ କାଉନସିଲ ଦ୍ବାରା ପ୍ରସ୍ତୁତ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ । ସେହି ସର୍ତ୍ତଟି ହେଉଛି ସମ୍ପୃକ୍ତ ଅଞ୍ଚଳଗୁଡିକରେ ଧୂମ୍ରପାନ ବର୍ଜନ କରାଇବା । ଏନେଇ ଶନିବାର କାଉନସିଲ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲା । ଏହି ଘୋଷଣା ଅନୁଯାୟୀ ଦେଶରେ ଅନେକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସାର୍ବଜନୀନ ସ୍ଥାନରେ କିପରି ଧୂମ୍ରପାନ ନ ହେବ ସେନେଇ କଡାକଡି ପଦକ୍ଷେପ ଗ୍ରହଣ କରାଯିବ ।