ମସ୍କୋ: ଗତ ଫେବୃଆରି ୨୪ ତାରିଖରେ ଋଷ ରାଷ୍ଟପତି ଭ୍ଲାଦିମାର ପୁଟିନ ୟୁକ୍ରେନରେ ସ୍ବତନ୍ତ୍ର ସାମରିକ ଅପରେସନ ଘୋଷଣା କରିଥିଲେ । ଋଷ ଏହାକୁ ସାମରିକ ଅପରେସନ କହିଥିଲେ ହେଁ ଏହା ସମଗ୍ର ୟୁକ୍ରେନ ବିରୋଧରେ ଏକ ଭୀଷଣ ଯୁଦ୍ଧର ରୂପ ନେଇଛି । ଋଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ମାସ ପୁରିଛି ।
ୟୁକ୍ରେନ ଆକ୍ରମଣକୁ ନେଇ ମିଛ ଖବର ପ୍ରସାରଣ କରୁଥିବା ଅଭିଯୋଗରେ ଋଷ ଗତକାଲି ଗୁଗୁଲ ନ୍ୟୁଜ ସର୍ଭିସକୁ ବ୍ୟାନ ଘୋଷଣା କରିଛି । ଋଷ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ ଆସିବା ପରେ ଦେଶର ମିଡିଆ ଏଭଳି ପଦକ୍ଷେପ ନେଇଛି । ଋଷର ଏଭଳି କଟକଣା ଦ୍ବାରା ଦେଶରେ ଗୁଗୁଲ ନ୍ୟଜ ସର୍ଭିସ ଆଉ ଉପଲବ୍ଧ ହେବନାହିଁ ।
ଋଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଗୁଗୁଲ ନ୍ୟୁଜ ସର୍ଭିସ ମାଧ୍ୟମରେ ୟୁକ୍ରେନ ଉପରେ ଋଷର ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ମିଥ୍ୟା ଖବର ପ୍ରସାରଣ ହେଉଛି । ଯାହାକି ଦେଶର ଲୋକଙ୍କୁ ଭ୍ରମିତ କରାଉଛି । ଏହା ପୂର୍ବରୁ ଋଷ ସରକାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଓ ଫେସବୁକ ଉପରେ କଟକଣା ଲଗାଇଥିଲେ ।
ଏ ନେଇ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହା କୌଣସି ବୈଷୟିକ ତ୍ରୁଟି ନୁହେଁ । ଋଷ ନିଜ ଦେଶର ଲୋକମାନଙ୍କୁ ଖବର ଜାଣିବାରୁ ବଞ୍ଚିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି । ଟେକ ଜଏଣ୍ଟ ମଧ୍ୟ ଚଳିତ ମାସରେ ଋଷର ସମସ୍ତ ବିଜ୍ଞାପନ ବିକ୍ରୟ ବନ୍ଦ କରିବା ନେଇ ଘୋଷଣା କରିଛି । ଡିଜିଟାଲ୍ ମିଡିଆ ଏବଂ ଟେକ୍ନୋଲୋଜିରେ ବିଶେଷଜ୍ଞ ସ୍ବିନବର୍ଣ୍ଣ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ବରିଷ୍ଠ ଅଧ୍ୟାପକ ବେଲିଣ୍ଡା ବର୍ଣ୍ଣେଟ୍ କହିଛନ୍ତି ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶବାସୀଙ୍କ ନିକଟରେ ସତ୍ୟ ଖବର ପହଞ୍ଚେଇବାକୁ ବଞ୍ଚିତ କରୁଛନ୍ତି ।