କିଭ: ୟୁକ୍ରେନ ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଏହାରି ମଧ୍ୟରେ ଗତକାଲି(ଶନିବାର) ଦିନ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଶତାଧିକ ଘର ମାଟିରେ ମିଶିଯାଇଥିବା ବେଳେ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ମୃତାହତଙ୍କ ସଂଖ୍ୟା ଏଯାଏଁ ସୂଚନା ମିଳିନଥିବା ବେଳେ ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି ।
ଏନେଇ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମାଇତ୍ରୋ କୁଲେବା ଏକ ଫଟୋ ଟ୍ବିଟ କରି ସୂଚନା ଦେଇଛନ୍ତି । କିଭ ଭଳି ଶାନ୍ତିପୂର୍ଣ୍ଣ ସହରକୁ ଋଷୀୟ ସେନାର ଆକ୍ରମଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଆତଙ୍କ ଭିତରେ ଆଉ ଗୋଟିଏ ରାତି ବିତେଇବାକୁ ପଡ଼ିଲା । ତେଣୁ ଏଭଳି ଯୁଦ୍ଧଖୋର ଋଷକୁ ସବୁ ଦେଶ ବାସନ୍ଦ କରନ୍ତୁ ଏବଂ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ ତୈଳ କାରବାର ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି କୁଲେବା ଟ୍ବିଟ ମାଧ୍ୟମରେ ବର୍ଷିଛନ୍ତି ।