କିଭ:ୟୁକ୍ରେନ-ଋଷିଆ ମହାସମର ଇତିମଧ୍ୟରେ ୧୭ ଦିନରେ ପହଞ୍ଚିଛି । ବିଭିନ୍ନ ସହରରେ ଏବେ ମଧ୍ୟ ଋଷ ସେନାର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଗୁଳିଗୋଳ ବର୍ଷା ସାଙ୍ଗକୁ କ୍ଷେପଣାସ୍ତ୍ର ମାଡରେ ଖିନଭିନ୍ ହେଉଛି ୟୁକ୍ରେନ । ଋଷ ରାଜଧାନୀ କିଭ୍ ନିକଟତର ହେବା ସହ ଘନ ଘନ ବୋମାମାଡ କରୁଛି । ଦିନକୁ ଦିନ ଆକ୍ରମଣ ଉଗ୍ର ହେଉଥିବା ବେଳେ ଋଷ ସେନା ପ୍ରଥମ ଥର ଦେଶର ପଶ୍ଚିମ ଅଞ୍ଚଳର ବିମାନ ବନ୍ଦର ନିକଟରେ ଆଟାକ୍ କରିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ୟୁକ୍ରେନରେ ସେନାର ୬୪ କିଲୋମିଟର ଲମ୍ବା କାଫିଲା ରହିଛି । ଯେଉଁଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଟ୍ୟାଙ୍କ ଏବଂ ଆର୍ଟିଲରି ସାମିଲ ଅଛି । ବିଶେଷକରି କିଭ, ଖାର୍କିଭ, ସୁମି ଏବଂ ମାରିଓପୋଲ ଆଦି ସହରରେ ଘନ ଘନ ବୋମାମାଡ କରୁଛନ୍ତି ଋଷ ସେନା । ଋଷ ଏବେ ପ୍ରଥମ ଥର ୟୁକ୍ରେନର ପୂର୍ବ ସହର ନିପ୍ରୋକୁ ଟାର୍ଗେଟ କରିଛି । ଯାହା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଏବଂ ଦେଶର ଚତୁର୍ଥ ବୃହତ୍ ସହର ଅଟେ । ଖାର୍କିଭରେ ପରମାଣୁ ରିଆକ୍ଟର ଥିବା ପ୍ରତିଷ୍ଠାନ ଉପରେ ମଧ୍ୟ ଋଷ ଆକ୍ରମଣ କରିଛି । ଆକ୍ରମଣରେ ଏକାଥରେ ଅନେକ ଲୋକଙ୍କ ଜୀବନ ଯାଉଥିବାରୁ ବିଭିନ୍ନ ସହରରେ ମୃତକଙ୍କୁ ଅଲଗା ଅଲଗା କବର ଦେବା ପରିବର୍ତ୍ତେ ଗଣକବର ଦିଆଯାଉଛି ।
ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନରେ ଋଷ ଯଦି ରସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସେଥିପାଇଁ ତାକୁ ବହୁମୂଲ୍ୟ ଦେବାକୁ ହେବ । ୟୁକ୍ରେନର ଋଷ ସେନା ସହ ଆମେରିକା ଯୁଦ୍ଧ କରିବ ନାହିଁ କାରଣ ନାଟୋ ଓ ମସ୍କୋ ମଧ୍ୟରେ ସଂଘର୍ଷ ହେଲେ ତୃତୀୟ ବିଶ୍ବଯୁଦ୍ଧର ଆରମ୍ଭ ହୋଇଯିବ । ତେଣୁ ୟୁରୋପରେ ଆମେ ନିଜ ସହଯୋଗୀ ରାଷ୍ଟ୍ର ସହ ଛିଡା ହେବୁ ଏବଂ ପୂର୍ଣ୍ଣ ଶକ୍ତିର ସହ ନାଟୋ ଅଞ୍ଚଳର ଗୋଟିଏ ଗୋଟିଏ ଇଞ୍ଚ୍ ଜାଗାର ସୁରକ୍ଷା କରିବୁ । ଋଷ୍ କେବେ ବି ୟୁକ୍ରେନକୁ ଜିତିପାରିବ ନାହିଁ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି ।