କିଭ:ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ । ଉଭୟ ରାଷ୍ଟ୍ର ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ରାଜଧାନୀ କିଭକୁ ଗୁରୁବାର ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏହା ସହ ସହରବାସୀଙ୍କୁ ସୁରକ୍ଷିତ ଘରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ ।
ଯୁଦ୍ଧର ଅଷ୍ଟମ ଦିନରେ ମଧ୍ୟ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ତେବେ ଗୁରୁବାର କିଭ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ ହୋଇପାରେ । ଏଥିଲାଗି କିଭକୁ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏ ସମ୍ପର୍କରେ ୟୁକ୍ରେନ ଗଣମାଧ୍ୟମ ସଂସ୍ଥା The Kyiv Independent ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । କେବଳ କିଭ ନୁହେଁ ଅନ୍ୟ ସହର ଯେପରିକି ମିକୋଲେଭ, ଲଭିଭ, ଜାଇଟୋମିର, ଇଭାନୋ-ଫ୍ରାଙ୍କିଭସ୍କ, ଚେର୍ନିହିଭ(Mykolaiv, Lviv, Zhytomyr, Ivano-Frankivsk, Chernihiv)ଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।
ଏହାରି ମଧ୍ୟରେ ୟୁକ୍ରେନର ଉତ୍ତର-ପୂର୍ବ ସହର ସୁମି(Sumy)ର ସୁମି ଷ୍ଟେଟ ୟୁନିଭର୍ସିଟିର ସାମରିକ ଅଧ୍ୟାପକଙ୍କ ଏକ କୋଠା ଉପରେ ଗୁରୁବାର ସକାଳେ ଋଷର ସେନା ଗୁଳି ବର୍ଷଣ କରିଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ସୁମି ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ Dmytro Zhyvytsky ଟ୍ବିଟ କରି ସୂଚନା ଦେଇଛନ୍ତି । ସେପଟେ ଜାତିସଂଘରେ ଋଷ ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଛି ଭାରତ ।