ବ୍ରୁସେଲ୍ସ: କୋରୋନା ସ୍ଥିତି ସୁଧୁରୁଥିବାରୁ ୟୁରୋପର ବିଭିନ୍ନ ଦେଶ ଲକଡାଉନ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଜୁନ୍ 1ରୁ ସମସ୍ତ ପ୍ରକାର ପର୍ଯ୍ୟଟନ ସ୍ଥଳୀ, ସପିଂମଲ, ଦୋକାନ ବଜାର ଖୋଲିଥିବାବେଳେ ଆସନ୍ତା 8 ତାରିଖରୁ ବାକି ସବୁ ଖୋଲିବାକୁ ସ୍ଥିର କରାଯାଇଛି । ବେଲଜିୟମରେ ମଧ୍ୟ ଜୁନ୍ 8 ତାରିଖରୁ ବାର, ରେସ୍ତୋରାଁ ଖୋଲିବାକୁ ଯାଉଛି ।
ହେଲେ ଏଠାରେ ନାଇଟ୍ କ୍ଲବ ଖୋଲାଯିବନି ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ବୁଧବାର ଏହା ସମ୍ପର୍କରେ ସରକାର ଏକ ମିଟିଂ ପରେ ସ୍ଥିର କରିଛନ୍ତି । ସିନେମା ହଲ, ପର୍ଯ୍ୟଟନ ସ୍ଥଳୀ, କ୍ୟାମ୍ପିଂ ସାଇଟ୍ ଖୋଲାଯିବ କିନ୍ତୁ ନାଇଟ୍ କ୍ଲବ ବନ୍ଦ ରହିବ । ବେଲଜିୟମର ନାଇଟ୍ କ୍ଲବମାନଙ୍କରେ ସର୍ବାଧିକ ଭିଡ ଲାଗିଥାଏ । ଏଠାରେ ୱିକେଣ୍ଡରେ ଅଧିକ ଲୋକଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ସ୍ଥିତି ସୁଧାରିବାକୁ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।