ମାସ୍କ ଅଭାବ, କର୍ମଚାରୀଙ୍କୁ ଯୋଗାଇବା ପାଇଁ କମ୍ପାନୀଙ୍କୁ ନିର୍ଦ୍ଦେଶ - କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର
ଫ୍ରାନ୍ସରେ ବର୍ତ୍ତମାନ କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ କଟକଣାରେ କୋହଳ କରାଯାଇଛି । ସରକାର ମଲ, ଥିଏଟର, ରେସ୍ତୋରାଁ, ହୋଟେଲ, ଅଫିସ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ..
ପ୍ୟାରିସ: ଫ୍ରାନ୍ସରେ ବର୍ତ୍ତମାନ କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ କଟକଣାରେ କୋହଳ କରାଯାଇଛି । ସରକାର ମଲ, ଥିଏଟର, ରେସ୍ତୋରାଁ, ହୋଟେଲ, ଅଫିସ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଜାଗାରେ ଗାଇଡଲାଇନର ଉଲ୍ଲଙ୍ଘନ ହୋଇଥିବା ଖବର ପୂର୍ବରୁ ଦେଖିବାକୁ ମିଳିଛି । ଲୋକେ ବିପୁଳ ସଂଖ୍ୟାରେ ଏକାଠି ହେବା ସହ ମାସ୍କ ପିନ୍ଧିନଥିଲେ କି ସାମାଜିକ ଦୂରତ୍ବ ମାନିନଥିଲେ । ଏହାଦ୍ବାରା ଫ୍ରାନ୍ସରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣର ଆଶଙ୍କା ଦେଖାଦେଇଛି ।
ବର୍ତ୍ତମାନ ଅନେକ ଜାଗାରେ ନୂଆ କୋଭିଡ 19 ପଜିଟିଭ ବାହାରିଥିବାବେଳେ ସରକାରଙ୍କ ସାମନାରେ ନୂଆ ଚ୍ୟାଲେଞ୍ଜ ବାହାରିଛି ମାସ୍କ । ମାର୍କେଟରେ ହଠାତ୍ ମାସ୍କର ଅଭାବ ଦେଖାଦେଇଛି । ଲୋକଙ୍କୁ ପିନ୍ଧିବା ପାଇଁ ମାସ୍କ ମିଳୁନାହିଁ । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କମ୍ପାନୀଙ୍କୁ ମାସ୍କ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏବେ ଖୋଲୁଥିବା ସମସ୍ତ କମ୍ପାନୀରେ କର୍ମଚାରୀଙ୍କ ଭିଡ ଲାଗିବାର ସମ୍ଭାବନା ରହିଛି । ଫଳରେ ମାସ୍କର ଅଭାବ ଏକ ସମସ୍ୟା ଆଣିପାରେ । ଲୋକଙ୍କ ମଧ୍ୟରେ ପୁଣିଥରେ କୋଭିଡ 19 ସଂକ୍ରମଣର ଭୟ ଦେଖାଦେଇଛି । ଯାହାକୁ ନେଇ ଚିନ୍ତିତ ହୋଇଛନ୍ତି ସରକାର । ଏଥିପାଇଁ ସମସ୍ତ କମ୍ପାନୀକୁ ଆଗାମୀ 10 ସପ୍ତାହ ପାଇଁ ଅତିକମରେ ମାସ୍କ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫ୍ରାନ୍ସ ସରକାର ।
ସ୍ବାସ୍ଥ୍ୟମନ୍ତ୍ରୀ ଓଲିଭର ଭେରାନ କହିଛନ୍ତି ଯେ ସରକାରଙ୍କ ଗାଇଡଲାଇନ ମାନିବା ସମସ୍ତଙ୍କ ପାଇଁ ମୌଳିକ ଅଧିକାର । ପ୍ରଥମ ପର୍ଯ୍ୟାୟରେ ଯଥେଷ୍ଟ ପରିମାଣରେ ମାସ୍କ ନଥିବା ଦେଖାଯାଇଥିଲା । ସେଥିପାଇଁ ଏବେ ଆଗରୁ ପ୍ରସ୍ତୁତ ରହିବାକୁ ପଡିବ । ନିଜ ଷ୍ଟାଫଙ୍କ ପାଇଁ ମାସ୍କ ପ୍ରସ୍ତୁତ ରଖିବାକୁ ସମସ୍ତ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଓଲିଭର କହିଛନ୍ତି । ଏହାସହ ସେମାନଙ୍କୁ ସ୍ବଦେଶୀ ପ୍ରଡକ୍ଟ କମ୍ପାନୀ ତଥା ଫ୍ରାନ୍ସରେ ତିଆରି ହେଉଥିବା ମାସ୍କ କିଣିବାକୁ ଅନୁରୋଧ କରାଯାଇଛି । କାରଣ ଦୃଢ ଓ ଉତ୍ତମ ମାସ୍କ ପାଇଁ ଲୋକମାନେ ଏସିଆ ଉପରେ ନିର୍ଭର କରୁଥିବା ଜଣାପଡିଛି । ପ୍ରକାଶ ଥାଉ କି ମାର୍ଚ୍ଚ ଓ ଏପ୍ରିଲରେ ଫ୍ରାନ୍ସରେ ମାସ୍କ ସଙ୍କଟ ଯୋଗୁଁ ସରକାରଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା ।