ନୂଆଦିଲ୍ଲୀ: ମହାଶକ୍ତି ଋଷର ଆକ୍ରମଣ ପରେ ୟୁକ୍ରେନକୁ ସହାୟତାର ହାତ ବଢାଇଛନ୍ତି ବିଶ୍ବର ସଫଳ ତଥା ଧନୀ ଉଦ୍ୟୋଗୀ ଏଲନ ମସ୍କ(Elon Musk) । ଏବେ ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଅଧିକ ପ୍ରଭାବଶାଳୀ କରିଛି । ଗୋଳାବାରୁଦକୁ ଛାଡ଼ି ଋଷ ଏବେ ପରମାଣୁ ବୋମା ଫିଙ୍ଗିବ ବୋଲି ଚର୍ଚ୍ଚା ହେଉଛି । ଯୁଦ୍ଧ ବିମାନର ଆକ୍ରମଣ ଓ ବୋମା ବିସ୍ଫୋରଣ ଦ୍ବାରା ୟୁକ୍ରେନରେ ଅନେକ ଜରୁରୀ ସେବା ବନ୍ଦ ହୋଇପଡ଼ିଛି । ଏହାରି ମଧ୍ୟରେ ୟୁକ୍ରେନ ଇଣ୍ଟରନେଟକୁ ସଞ୍ଜିବନୀ ଯୋଗାଇଛନ୍ତି ଏଲନ । ସେ ନିଜ କମ୍ପାନୀ SpaceXର Starlink ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ଯୋଗାଇଥିବା ଜଣାପଡ଼ିଛି ।
ୟୁକ୍ରେନକୁ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ ତଥା ଡିଜିଟାଲ ଟ୍ରାନ୍ସଫରମେସନ ମନ୍ତ୍ରୀ ମୟଖୈଲୋ ଫେଡରୋୱ(Mykhailo Fedorov) ଟ୍ବିଟର ଜରିଆରେ ଏଲନ ମସ୍କଙ୍କୁ ସହାୟତା ମାଗିଥିଲେ । ଏହି ଟ୍ବିଟର ଜବାବ ଦେଇ ଏଲନ କହିଥିଲେ ଯେ ୟୁକ୍ରେନର ଷ୍ଟାରଲିଙ୍କ ଇଣ୍ଟରେନଟ ସେବା ସକ୍ରିୟ ହୋଇଯାଇଛି । ତେବେ ଏ ନେଇ ଫେଡରୋୱ ଟ୍ବିଟ କରି କହିଥିଲେ ଯେ, "ଆପଣ ମଙ୍ଗଳ ଗ୍ରହ ଉପରେ ବି କଲୋନୀ ତିଆରି କରିବା କଥା କହୁଛନ୍ତି । କିନ୍ତୁ ଏଠାରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଆପଣଙ୍କ ରକେଟ ମହାକାଶରେ ସଫଳତାର ସହିତ ପହଞ୍ଚୁଛି । ଏପଟେ ଋଷ ୟୁକ୍ରେନ ନାଗରିକଙ୍କ ଉପରେ ଆକ୍ରମଣ କରିଚାଲିଛି ।"