ଲଣ୍ଡନ: ଲଣ୍ଡନର ଇମ୍ପିରିଆଲ କଲେଜରେ ଇନଫ୍ଲୁଏଞ୍ଜା ଭାଇରୋଲୋଜି ବିଭାଗର ଅଧ୍ୟକ୍ଷ ୱେଣ୍ଡି ବାର୍ସଲେ କୋରୋନା ସଂକ୍ରମଣକୁ ନେଇ ପ୍ରକାଶ କରିଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କୋଭିଡ-19 ଭୂତାଣୁକୁ ନେଇ ଅଧ୍ୟୟନ ଚାଲିଥିବା ପ୍ରାୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି କିଛି ନୂଆ ତଥ୍ୟ । ଏମିତିରେ ୱେଣ୍ଡିଙ୍କ କହିବା ଅନୁଯାୟୀ କୋରୋନା ସଂକ୍ରମଣ ପାଇଁ ଦାୟୀ ଭୂତାଣୁ ବାୟୁରେ କିଛି ଘଣ୍ଟା ପାଇଁ ସକ୍ରିୟ ରହିପାରନ୍ତି । ରବିବାର ଏପରି ମତ ଦେଇ ୱେଣ୍ଡି କହିଛନ୍ତି କି ‘ବାୟୁ ମାଧ୍ୟମ ଦ୍ବାରା କୋରୋନା ସଂକ୍ରମଣ ବ୍ୟାପିପାରିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଥମ ଥର ପାଇଁ ସହମତି ପ୍ରକାଶ କରିଛନ୍ତି ।’
ସେ ଏହା ମଧ୍ୟ କହିଛନ୍ତି କି କୋରୋନା ସଂକ୍ରମଣ ବ୍ୟାପିବାର ଆହୁରି ଅନେକ ମାଧ୍ୟମ ରହିଥିଲେ ସୁଦ୍ଧା ବାୟୁ ମଧ୍ୟ ଏହାର ଏକ ବାହକ ବୋଲି ନିକଟରେ ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ତେଣୁ କୌଣସି ସଂକ୍ରମିତଙ୍କଠାରୁ ଭୂତାଣୁ ବାୟୁ ମାଧ୍ୟମ ଦେଇ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ବାୟୁ ମାଧ୍ୟମରେ ଏହି ଭୂତାଣୁ କିଛି ଦୂର ଯାତ୍ରା ମଧ୍ୟ କରିପାରେ । ହେଲେ ଏହି ଭୂତାଣୁ ବାୟୁରେ ଦୀର୍ଘ ସମୟ ନୁହେଁ ମାତ୍ର କିଛି ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ ବୋଲି ୱେଣ୍ଡି ପ୍ରକାଶ କରିଛନ୍ତି ।