ସୋଫିଆ(ବୁଲଗେରିଆ): ଆଇନ ସମସ୍ତଙ୍କ ପାଇଁ ସମାନ । ଏହା କବଳରୁ କେହି ବର୍ତ୍ତିପାରିବେ ନାହିଁ । ରାଜନେତାମାନେ ନିଜେ ଆଇନ ମାନିଲେ ହିଁ ଲୋକେ ଏହାକୁ ଅନୁସରଣ କରିବେ । ଏପରି ଏକ ଉଦାହରଣ ଦେଖାଇଛନ୍ତି ବୁଲଗେରିଆ ପ୍ରଧାନମନ୍ତ୍ରୀ । ମାସ୍କ ନପିନ୍ଧି ବାହାରକୁ ଯାଇଥିବାରୁ ତାଙ୍କ ଉପରେ ଲାଗିଛି ଫାଇନ ।
ମଙ୍ଗଳବାର ଏହି ପ୍ରସଙ୍ଗରେ ନିଜ ଉଦବୋଧନବେଳେ ସୂଚନା ଦେଇଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । କିଛିଦିନ ତଳେ ବୁଲଗେରିଆ ପ୍ରଧାନମନ୍ତ୍ରୀ ବୋୟକୋ ବୋରିସୋଭ ମାସ୍କ ନ ପିନ୍ଧି ଏକ ଚର୍ଚ୍ଚକୁ ଆସିଥିଲେ । ଯାହା ସମ୍ପର୍କରେ ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ଫଟୋ ପ୍ରକାଶ ପାଇଥିଲା । ଫେସବୁକରେ ଏହି ଫଟୋ ଅଧିକ ଭାଇରାଲ ହେବା ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ଗୁରୁତ୍ବପୂର୍ଣ୍ଣ ବିଷୟ ଏହି କି ଯେ ଯେଉଁଦିନ ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଫେସ ମାସ୍କ ବାଧ୍ୟତାମୂଳକ ଘୋଷଣା କରିଥିଲା ସେଇଦିନ ହିଁ ଏପରି ଘଟଣା ଘଟିଥିଲା ।
ଦେଶରେ କୋଭିଡ 19 ସଂକ୍ରମଣ ନୂଆ ପର୍ଯ୍ୟାୟରେ ପୁଣି ବଢିବାରୁ ସରକାର କଟକଣା ଆଉଥରେ ଲାଗୁ କରିଛନ୍ତି । ଏହାସହ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ହେଲେ ବୋରିସୋଭ ଏହା ପିନ୍ଧିନଥିବାରୁ ଫାଇନ୍ ଦେବେ ବୋଲି ସ୍ଥିର ହୋଇଛି । ସରକାରଙ୍କ ନିୟମ ଅନୁସାରେ ତାଙ୍କୁ 300 ଲେଭା(150 ୟୁରୋ ଅବା 170 ଡଲାର) ଦେବାକୁ ପଡିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି । ପୂର୍ବରୁ ଶାସକ ଦଳ ସମେତ ବୁଲଗେରିଆର ପ୍ରମୁଖ ବିରୋଧୀ ଦଳ ପାର୍ଟି ମିଟିଂ କରି ଜୋରିମାନା ଦେଇସାରିଛନ୍ତି । ପ୍ରତି ଦଳକୁ 3000 ଲେଭା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିପୁଳ ସଂଖ୍ୟାରେ ଲୋକ ଏକାଠି କରି ନିୟମ ଭାଙ୍ଗିଥିବାରୁ ଏହି ଦଣ୍ଡ ମିଳିଥିଲା ।
ପ୍ରକାଶ ଥାଉ କି, ବୁଲଗେରିଆ ୟୁରୋପିଆନ ୟୁନିଅନରେ ସବୁଠାରୁ କମ ପ୍ରଭାବିତ ଦେଶମାନଙ୍କ ଭିତରେ ଅନ୍ୟତମ । କୋରୋନା ଦ୍ବାରା ଏଠାରେ କମ କ୍ଷତି ଘଟିଛି । ତେବେ ଦୁଇ ସପ୍ତାହ ତଳେ ଏହା ମାସ୍କ ପିନ୍ଧିବା ଉପରୁ କଟକଣା ହଟାଇ ଦେଇଥିଲା । ଏହାସହ ମଲ, ଥିଏଟର, ରେସ୍ତୋରାଁ ଖୋଲିବାର ଅନୁମତି ଦେଇଥିଲା । ହେଲେ ଏହାପରେ ଏଠାରେ ପୁଣି ନୂଆ ସଂକ୍ରମଣ ଦେଖାଦେଇଥିଲା । ଫଳରେ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଭାବେ ଲାଗୁ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । 2 ସପ୍ତାହେ ତଳେ ଏଠାରେ 2889 କେସ ଥିବାବେଳେ 2 ସପ୍ତାହ ପରେ ଏଥିରେ ବୃଦ୍ଧି ଘଟି 2000 ପାଖାପାଖି ଆକ୍ରାନ୍ତ ବାହାରିଥିଲେ ।