ଲାଗୁ ହେବନି ନୂଆ ଲକଡାଉନ: ଫ୍ରାନ୍ସ ପ୍ରଧାନମନ୍ତ୍ରୀ - targeted says French PM
ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ହେଲେ ମଧ୍ୟ ଜାରି ହେବନି ଲକଡାଉନ । ଏନେଇ ବୁଧବାର ସ୍ପଷ୍ଟ କରିଛନ୍ତି ନୂଆ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାସଟେକ୍ସ । ଅଧିକ ପଢନ୍ତୁ..
ପ୍ୟାରିସ: ଫ୍ରାନ୍ସରେ ଲାଗୁ ହେବନି ନୂଆ ଲକଡାଉନ । ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ହେଲେ ମଧ୍ୟ ଜାରି ହେବନି ଲକଡାଉନ । ଏନେଇ ବୁଧବାର ସ୍ପଷ୍ଟ କରିଛନ୍ତି ନୂଆ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାସଟେକ୍ସ ।
ଦେଶରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ପାଇଁ ଆମେ ନିଶ୍ଚିତ ପ୍ରସ୍ତୁତ ରହିବା । ହେଲେ ଏଥିପାଇଁ ଦେଶବ୍ୟାପୀ ଲକଡାଉନ କରାଯାଇପାରିବ ନାହିଁ । ମାର୍ଚ୍ଚ ଭଳି ଏଠାରେ ଏତେ ବଡ ସମୟ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରିବା ଅସମ୍ଭବ । ଅର୍ଥନୈତିକ ସହ ଲୋକଙ୍କ ପାଇଁ ମଧ୍ୟ ଏହାଦ୍ବାରା ଅନେକ ସମସ୍ୟା ସୃଷ୍ଟି ହୋଇଛି । ତେଣୁ କୌଣସି ନୂଆ ଲକଡାଉନ ଯେପରି ଲାଗୁ ନହେବ ସେଥିପ୍ରତି ଆମ ସରକାର ସଜାଗ ରହିବ ବୋଲି କାସଟେକ୍ସ କହିଛନ୍ତି ।
ପ୍ରକାଶ ଥାଉ କି ଗତ ଜୁଲାଇ 3ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ କାସଟେକ୍ସ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବ ଫ୍ରାନ୍ସ ସରକାର ଦେଶବ୍ୟାପୀ ମାର୍ଚ୍ଚ ମଧ୍ୟ ଭାଗରୁ ମେ 11 ଯାଏଁ କଡାକଡି ଲକଡାଉନ ଲାଗୁ କରିଥିଲେ । କୋରୋନା ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ସ୍ପେନ ପରେ ୟୁରୋପର ଅନ୍ୟତମ ଦେଶ ଭାବେ କୋରୋନାରେ ଅଧିକ ପ୍ରଭାବିତ ହୋଇଥିଲା ଫ୍ରାନ୍ସ । ଏଠାରେ ବିଶ୍ବର ପଞ୍ଚମ ସର୍ବାଧିକ କୋରୋନା ମୃତ୍ୟୁ ରେକର୍ଡ ହୋଇଛି । ପୂର୍ବ ସରକାରଙ୍କ କେତେକ କଟକଣା ଏବେ ବି ଲାଗୁ ରହିଛି ।
ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାସଟେକ୍ସ କାମ କରିଛନ୍ତି । ରାଷ୍ଟ୍ରପତି ମାକ୍ରୋନଙ୍କ କାର୍ଯ୍ୟକାଳ ଆହୁରି 2 ବର୍ଷ ଥିବାବେଳେ ଏହି ସମୟରେ ତାଙ୍କର କିଛି ଭିଜନକୁ ସମ୍ପୂର୍ଣ୍ଣ କରିବାକୁ ସେ ସ୍ଥିର କରିଥିବା କାସଟେକ୍ସ କହିଛନ୍ତି । ଏହାସହ ୟୁନିଅନ ଏବଂ କମ୍ପାନୀଙ୍କ ସହ ସେ ମାକ୍ରୋନଙ୍କ ପେନସନ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଜୁଲାଇ 20 ପୂର୍ବରୁ ଏହାକୁ ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନରେ ଏହି ଯୋଜନା ଅଟକି ରହିଥିଲା ।
ଗତ ସୋମବାର କାସଟେକ୍ସ କିଛି ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । ଆଗାମୀ ସପ୍ତାହରେ କିଛି ଜୁନିୟର ମନ୍ତ୍ରୀଙ୍କୁ ଚୟନ କରିବାର ପ୍ରକ୍ରିୟା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । କୋରୋନା ଯୋଗୁଁ ଆର୍ଥିକ ସମସ୍ୟା ଲାଗି ରହିଛି । ଏଥିରୁ ବାହାରିବାକୁ କିଛି ସମୟ ଲାଗିବ । ତେବେ ସ୍ବାସ୍ଥ୍ୟ କର୍ମୀଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା ହୋଇଥିବା ପୂର୍ବ ପ୍ରତିଶ୍ରୁତି ସେ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି ।