ଲଣ୍ଡନ: ବ୍ରିଟିଶ ଏୟାରୱେଜ୍ ଏହାର ଏକ ଚତୁର୍ଥାଂଶରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ । କୋରୋନା ଭାଇରସ ମହାମାରୀର ପ୍ରଭାବ କାରଣରୁ ୟୁରୋପର ଏହି ଅନ୍ୟତମ ବୃହତ୍ତମ ବିମାନ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଛଟେଇ କରିବା ପାଇଁ ଚିନ୍ତା କରୁଛି । ଏନେଇ ପ୍ୟାରେଣ୍ଟ କମ୍ପାନୀ IAG (ICAGY) ପକ୍ଷରୁ ଆଭାସ ମିଳିଛି ।
ପ୍ୟାରେଣ୍ଟ କମ୍ପାନୀ IAG (ICAGY) ମଙ୍ଗଳବାର ଏକ ବିବୃତ୍ତିରେ ଲେବର ୟୁନିୟନର ପୁନଃଗଠନ ସଂପର୍କରେ ଉଲ୍ଲେଖ କରିଛି । ଯାହା ଦ୍ବାରା ଅନେକ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ପ୍ରଭାବିତ କର୍ମଚାରୀଙ୍କ ସଂଖ୍ୟା 12,000ରୁ ଅଧିକ ହୋଇପାରେ ବୋଲି କୁହାଯାଉଛି ।
ସ୍ପେନ ଏୟାରଲାଇନ୍ସ ଆଇବେରିଆକୁ ଅଧିଗ୍ରହଣ କରିଥିବା IAG କୋରୋନା ପାଇଁ ପ୍ରଥମ ତ୍ରୟମାସିକ ଆୟରେ 13 ପ୍ରତିଶତ ହ୍ରାସ ଘଟିଛି । ଗତ ତିନିମାସରେ ଏହାର ଆୟର ପରିମାଣ 4.6 ବିଲିୟନ ୟୁରୋ (5 ବିଲିୟନ ଆମେରିକୀୟ ଡ଼ଲାର)ରେ ପହଞ୍ଚିଛି । ଯାହା ଦ୍ବାରା କମ୍ପାନୀର 535 ମିଲିୟନ ୟୁରୋ ଅର୍ଥାତ 579 ମିଲିୟନ ଆମେରିକୀୟ ଡ଼ଲାର କ୍ଷତି ଘଟିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଗତ ବର୍ଷର ଯାତ୍ରୀ ଚାହିଦା ଫେରିପାଇବା ପାଇଁ ଅନେକ ବର୍ଷ ଲାଗିପାରେ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି ।
ଜର୍ମାନୀ, ସ୍ବିଜରଲ୍ୟାଣ୍ଡ, ଅଷ୍ଟ୍ରିଆ ଏବଂ ବେଲଜିୟମରେ ଜାତୀୟ ପରିବହନକାରୀ ରହିଥିବା ଏୟାରଲାଇନ୍ସ ଗ୍ରୁପ୍ ଲୁଫଥାନସା (DLAKY) ଦ୍ବାରା ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ଆରମ୍ଭରେ କମ୍ପାନୀ ଏହାର କାରବାରକୁ ହ୍ରାସ କରୁଥିବା ନେଇ ଘୋଷଣା କରିଥିଲା ।
ବ୍ରିଟିଶ ଏୟାରୱେଜ ସିଇଓ ଆଲେକ୍ସ କ୍ରୁଜ୍ କହିଛନ୍ତି, ‘ଗତକାଲି ବ୍ରିଟିଶ ଏୟାରୱେଜ ପକ୍ଷରୁ ମାତ୍ର ଅଳ୍ପ କେତେକ ବିମାନ ଉଡିଥିଲା । ସାଧାରଣ ଦିନରେ ଆମେ 300ରୁ ଅଧିକ ବିମାନ ଉଡ଼ାଉଥିଲୁ ।’ ବିଶ୍ବବ୍ୟାପୀ ବିମାନ ଉଡ଼ାଣରେ ନିଷେଧାଦେଶ ଓ ଲକଡାଉନ କାରଣରୁ ସମଗ୍ର ବିଶ୍ବରେ ବିମାନ କମ୍ପାନୀ ଗୁଡିକ ଦେବାଳିଆ ହେଉଥିବା ଖବର ଆସିଛି ।