ନୂଆଦିଲ୍ଲୀ: କୋରୋନା ଭାଇରସର ଆତଙ୍କ ଚୀନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଭାଇରସର କାୟା ବିସ୍ତାର କରିବା ସହ ଚୀନବାସୀଙ୍କୁ ହନ୍ତସନ୍ତ କରିଛି । ଥମୁନି ମୃତ୍ୟୁ ସଂଖ୍ୟା, ହୁ ହୁ ହୋଇ ନିତି ବଢିବାରେ ଲାଗୁଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଚୀନରେ ମୃତ୍ୟୁସଂଖ୍ୟା 1900ରେ ପହଞ୍ଚିଲାଣି ଓ ପ୍ରାୟ 72ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ବିପଦଜ୍ଜନକ ଓ ଚିନ୍ତାଜନକ ଖବର ଏହି କି ଯେ ଚୀନର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ମଙ୍ଗଳବାର କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ସହରସ୍ଥିତ ଏକ ବଡ ଡାକ୍ତରଖାନାର ନିର୍ଦ୍ଦେଶକ କୋରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।
କୋରୋନା ସଂକ୍ରମଣ ଫଳରେ ଉହାନ ସହରରେ ଥିବା ଉହାନ ହସ୍ପିଟାଲର ନିର୍ଦ୍ଦେଶକ ଲିଉ ଝିମିଂ କୋରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏହାସହ ଅନେକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।