ୱାଶିଂଟନ:ଦୀର୍ଘ 20 ବର୍ଷ ହେଲା ଆଫାଗାନିସ୍ତାନରେ ଲାଗି ରହିଥିବା ଅରାଜକତା ଓ ରକ୍ତାକ୍ତ ସଂଘର୍ଷରେ ଜବନିକା ପକାଇ ତାଲିବାନ ଓ ଆମେରିକା ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି । ଚୁକ୍ତି ଅନୁସାରେ ଆମେରିକା ପର୍ଯ୍ୟାୟକ୍ରମରେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରୁଛି । ତେବେ ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ପରେ ଏହି ଅଞ୍ଚଳରେ ଚୀନ ନିଜର ପ୍ରଭାବ ସୃଷ୍ଟି କରିବ ବୋଲି ଆମେରିକାର ନ୍ୟୁଜ୍ ରିପୋର୍ଟରେ ଦର୍ଶାଯାଇଛି ।
ଆଫଗାନିସ୍ତାନରେ ବେଜିଂର ପ୍ରଭାବକୁ ସୁରକ୍ଷିତ ରଖିବା ପାଇଁ ଚୀନ ଏବଂ ପାକିସ୍ତାନ ଏକ ଯୋଜନା ଆରମ୍ଭ କରିଥିବା ଜଣାଯାଇଛି। ଏନେଇ ଆମେରିକାର ଏକ ବିଶେଷ ସୂତ୍ରରୁ ଜଣାପଡିଛି । ସୂତ୍ର ଅନୁଯାୟୀ, ଚୀନ ଆଫଗାନିସ୍ତାନରେ ପାକିସ୍ତାନର ଅଭିଜ୍ଞତା ତଥା ସେଠାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ସହ ଇସଲାମାବାଦର ସଂଯୋଗ ଆବଶ୍ୟକ କରୁଛି । ଯେଉଁଥିପାଇଁ ବେଜିଂ ଜଣେ ପାକିସ୍ତାନୀ ଜେନେରାଲଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଅତ୍ୟଧିକ ସୀମିତ ବୈଠକରେ ବସିବାକୁ ନିମନ୍ତ୍ରଣ କରିଛି। ତେବେ ବେଜିଂ ଯୁଦ୍ଧ ଦ୍ବାରା ଦେଶର ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ ଚାହୁଁଥିବା ସୂତ୍ରରୁ ପ୍ରକାଶ ପାଇଛି । ସେପଟେ ଚୀନ ଏବଂ ପାକିସ୍ତାନ ଉଇଗୁରୁ ମୁସଲମାନମାନଙ୍କୁ ସମର୍ଥନ ନକରିବାକୁ ତାଲିବାନ ନେତାଙ୍କଠାରୁ ପ୍ରତିଶ୍ରୁତି ନେଇଛନ୍ତି।