କାଠମାଣ୍ଡୁ: ନେପାଳ କଂଗ୍ରେସର ମୁଖ୍ୟ ଶେର ବାହାଦୂର ଦେଉବା ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ସୋମବାର ନେପାଳ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରି ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ଓ 5 ମାସ ପରେ ପ୍ରତିନିଧି ସଭା ଡାକିବାକୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶେର ବାହାଦୂର ଦେଉବା ପୂର୍ବରୁ 1995 ରୁ 1997 ପର୍ଯ୍ୟନ୍ତ ପୁଣି 2001 ରୁ 2002, 2004 ରୁ 2005 ଓ ଶେଷଥର ପାଇଁ 2017 ରୁ 2018 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି । ଦେଶର 4 ଥର ପ୍ରଧାନମନ୍ତ୍ରୀ ରହିସାରିଥିବା ଶେର ବାହାଦୂରଙ୍କ ସପକ୍ଷରେ କୋର୍ଟ ରାୟ ଦେବାପରେ ଏବେ ବର୍ତ୍ତମାନ ଗାଦି ଜାବୁଡି ଧରିଥିବା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବଢିଲା ଅଡୁଆ । କାରଣ କିଛି ମାସ ହେଲା ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଥିଲେ ଶର୍ମା । କୋର୍ଟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଚାପରେ ରାଷ୍ଟ୍ରପତି ନିମ୍ନ ସଦନକୁ ଭଙ୍ଗ କରିବା ବେଆଇନ ଥିଲା । କୋର୍ଟ ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆସନ୍ତା 18 ରେ ପ୍ରତିନିଧି ସଭାର ବୈଠକ ଡାକିବାକୁ ।
କିଏ ଶେର ବାହାଦୂର ଦେଉବା ?
ନେପାଳ କଂଗ୍ରେସର ପ୍ରମୁଖ ଥିବା ଶେର ବାହାଦୂର ଦେଉବା ଦେଶର 4 ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । 13 ଜୁନ 1946 ପଶ୍ଚିମ ନେପାଳର ଦଡେଲହୁରା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ନିଜ ରାଜନୈତିକ ଆରମ୍ଭ ପଶ୍ଚିମ ଛାତ୍ର ସମିତିର ସଭାପତି ଭାବେ ପ୍ରାରମ୍ଭ କରିଥିଲେ । ଶେର ବାହାଦୂର 1971 ରେ ନେପାଳ ଛାତ୍ର ସଂଘର ସଂସ୍ଥାପକ ଥିଲେ । ଏହି ପଦରେ ସେ 1980 ମସିହା ପର୍ଯ୍ୟନ୍ତ ଥିଲେ ।