ହାଇଦ୍ରାବାଦ:ବର୍ତ୍ତମାନ ଦେଶସାରା ଚୀନ୍ ବିରୋଧୀ ମନୋଭାବ ଦେଖିବାକୁ ମିଳିଛି । ଲଦାଖର ଗଲୱାନ ଉପତ୍ୟକାରେ ଭାରତ ସହ ସଂଘର୍ଷ ପରେ ଭାରତୀୟ ଯବାନଙ୍କ ଶହୀଦ ହେବା ଘଟଣାରେ ସାରା ଦେଶ ଉତକ୍ଷିପ୍ତ ହୋଇଛି । ଦେଶବ୍ୟାପୀ ଚୀନକୁ ବୟକଟ୍ କରିବା ଦାବି ଜୋର ଧରିଛି । ତେବେ ଏପରି ପ୍ରଥମ ଥର ଘଟିନାହିଁ ଯେବେ ଚୀନ୍ ଜବରଦସ୍ତ ସୀମା ଭିତରେ ପଶି ଆସି ଭାରତୀୟ ସେନା ଉପରେ ଆକ୍ରମଣ କରିଛି । ପୂର୍ବରୁ ଅନେକ ଥର ଏପରି ଘଟଣା ଘଟିବାର ନଜିର ରହିଛି ।
ଚୀନର ଏହାଏକ ଷ୍ଟ୍ରାଟେଜି ବୋଲି ବିଶେଷଜ୍ଞ କହିଛନ୍ତି । ଚୀନ୍ ଭଳି କମ୍ୟୁନିଷ୍ଟ ଦଳର ମନୋଭାବ ପ୍ରଥମରୁ ଏପରି ରହିଆସିଛି । କୌଣସି ଦେଶର ସୀମା ଜବରଦଖଲ କରି ନିଜ ଅକ୍ତିଆରକୁ ଆଣିବା ଏବଂ ନିଜ ପରିସୀମା ବୃଦ୍ଧି କରିବା ଚୀନର ପୁରୁଣା ଅଭ୍ୟାସ । ଏଥିପାଇଁ ଡ୍ରାଗନ ଦେଶ ବିଭିନ୍ନ ଚାଲାଖ ନୀତି ଆପଣାଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ସଲାମି ସ୍ଲାଇସିଂ ଷ୍ଟ୍ରାଟେଜି । ଏହାଦ୍ବାରା ଟାର୍ଗେଟ ଦେଶଙ୍କୁ ନିଜ ଷଡଯନ୍ତ୍ରରେ ଫସାଇ ସେମାନଙ୍କ ସମସ୍ତ ପ୍ଲାନକୁ ଭଣ୍ଡୁର କରିଥାଏ ଚୀନ୍ । ଧିରେ ଧିରେ ନିଜ ପ୍ଲାନ୍ ଏପରି ଭାବେ ଲାଗୁ କରିଥାଏ ଯେ ସାମନାରେ ଥିବା ଦେଶ ଏହାକୁ ବୁଝିବା ଆଗରୁ ତାହାର ପରିଣାମ ଭୋଗି ସାରିଥାଏ ।
ଚୀନର ଏହି ନୀତି ଅନୁସାରେ ଡରାଇ ଓ ଧମକାଇ ଧିରେ ଧିରେ ଅନ୍ୟ ଦେଶର ସୀମାକୁ ନିଜ ଅକ୍ତିଆରକୁ ଅଣାଯାଇଥାଏ । ଏପରି ଚାଲାକି ଭାବେ ଏହା କାର୍ଯ୍ୟକାରୀ ହୋଇଥାଏ ଯେ କେହି କିଛି ବୁଝିବା ପୂର୍ବରୁ ଏହା ନିଜ ଟାର୍ଗେଟ ପୂରଣ କରିଥାଏ । ପ୍ରଥମେ କିଛି ପଦକ୍ଷେପ, ପରେ ଶାନ୍ତ ରହିଯିବା । ଏହି ସମୟରେ ଲାଗିବ ଏହା କିଛି କାର୍ଯ୍ୟ କରିବନି । ଯେବେ ପୁଣି ହଠାତ୍ ନିଜ ପତିଆରା ଦେଖାଇବା । ଯେତେବେଳେ କେହି ପ୍ରସ୍ତୁତ ନଥିବେ ଅଚାନକ ଏପରି କିଛି କାର୍ଯ୍ୟ କରିବା ଯାହା ଫଳରେ ଏହାର ମୁକାବିଲା କରିହେବନି । ସେହିପରି କୂଟନୈତିକ ସ୍ତରରେ ସବୁ ଭଲ ଭାବେ ଚାଲିଥିବାବେଳେ ସେନା ସ୍ତରରେ ଅନ୍ୟ କିଛି ମନୋଭାବ ଦେଖାଇବା । ଏସବୁ ଚୀନର ପୁରୁଣା ନୀତି ଏବଂ ପଡୋଶୀ ଦେଶର ସୀମା ଦଖଲ କରିବାର ଋଣନୀତି ।
ଚୀନ୍ ପ୍ରଥମ ଦେଶ ଯିଏ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପଡୋଶୀ ଦେଶଙ୍କ ଅଞ୍ଚଳ ଅକ୍ତିଆର କରି ନିଜ ସୀମା ବଢାଇଛି । କେବଳ ସ୍ଥଳ ଭାଗ ନୁହେଁ ଜଳଭାଗରେ ମଧ୍ୟ ଏହା ଜବରଦଖଲରେ ମାହିର । ତିବ୍ଦତ ଏବଂ ହଂକଂ ଏହାର ଶ୍ରେଷ୍ଠ ଉଦାହରଣ । ସେହିପରି ଦକ୍ଷିଣ ଚୀନ ସାଗରରେ ଗତ କିଛି ବର୍ଷ ଧରି ନିଜର ପ୍ରଭୁତ୍ବ ବିସ୍ତାର କରି ଏଠାରେ ଜବରଦସ୍ତ ନିଜ ଆଧିପତ୍ୟ ବିସ୍ତାର କରିଛି ଡ୍ରାଗନ । ଚୀନ୍ ଏସବୁ ଏକ ସଠିକ୍ ଏବଂ ଭାବିଚିନ୍ତି ଋଣନୀତି ଆପଣାଇ ସମ୍ପାଦନ କରିଥାଏ । ପ୍ରଥମେ ଏହା ଏକ ଅଞ୍ଚଳ ଦଖଲ କରି ଏହାକୁ ଏପରି ଭାବେ ନିଜର ବୋଲି ଦାବି କରିବ ଯେ ସମସ୍ତେ ଭାବିବାକୁ ବାଧ୍ୟ ହେବ ଏହା ଏକ ବିବାଦୀୟ ଜମି । ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଖୁବ୍ ତୀକ୍ଷ୍ଣ ଓ ସୁଚିନ୍ତିତ ଯୋଜନା ଏବଂ ଷଡଯନ୍ତ୍ର ପ୍ରସ୍ତୁତ କରିଥାଏ ଡ୍ରାଗନ ଦେଶ । ଅନ୍ତର୍ଜାତୀୟ ଦରବାରରେ ଏପରି ଭାବେ ଏହାକୁ ଉପସ୍ଥାପନା କରାଯାଏ ଯେପରି ସବୁ ରାଷ୍ଟ୍ର ଭାବିବାକୁ ବାଧ୍ୟ ହେବେ ପ୍ରକୃତରେ ଏଠାରେ କିଛି ବିବାଦ ରହିଛି ଏବଂ ଚୀନର ଏହା ଉପରେ ଅଧିକାର ଅଛି । ଏଥିପାଇଁ ନିଜର ସାମରିକ ଏବଂ କୂଟନୈତିକ ବଳ ଲଗାଇଦିଏ ଚୀନ୍ ।