ବେଜିଂ: ବଦଳିଲା ଠିକଣା । ଆଉ ଏହା ସହ ବଦଳିଛି ସବୁକିଛି । ନୂଆ ଜାଗା ସହ ନୂଆ ପରିଚୟ ମଧ୍ୟ ପାଇଛି ଆମେରିକାର ପାଣ୍ଡା ବେଇବେଇ । ଆମେରିକାରୁ ଚୀନ ଯାଇଛି ବେଇବେଇ । ଏକ ଶୋକାକୂଳ ପରିବେଶ ମଧ୍ୟ ଆମେରିକାର ପାଣ୍ଡାପ୍ରେମୀ ବିଦାୟ ଜଣାଇଛନ୍ତି ବେଇବେଇକୁ । ଅନୁରୂପ ଭାବେ ଚୀନରେ ମଧ୍ୟ ସ୍ବାଗତ କରାଯାଇଛି ।
ନିଜ ନାଁକୁ ନେଇ ସେ ଖୁବ ପରିଚିତ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ପତ୍ନୀ ମିସେଲ ଓବାମା ଏବଂ ଚୀନର ରାଷ୍ଟ୍ରପତିଙ୍କ ପତ୍ନୀ ପେଙ୍ଗ ଲିୟୁଆନ ଏକାଠି ମିଶି ନାମ ବେଇବେଇ ବୋଲି ରଖିଥିଲେ । ଯାହାର ଅର୍ଥ ସମ୍ପତ୍ତି । ଆମେରିକାରେ ଜନ୍ମିତ ବେଇବେଇ ବର୍ତ୍ତମାନ ଚୀନର ଚିଡିଆଖାନା ଅର୍ଥାତ ତାର ନୂଆ ଠିକଣାରେ ପହଞ୍ଚିଛି।
ଚୀନରେ ପହଞ୍ଚିଲା ଆମେରିକାର ବେଇବେଇ ୱାଶିଂଟନର ନ୍ୟାସନାଲ ଜୁରେ ଜନ୍ମ ନେଇଥିଲା ବେଇବେଇ । ସେଠାରେ 4 ବର୍ଷ ବିତାଇବା ପରେ ଚୀନ ସରକାରଙ୍କ ସହ ଚୁକ୍ତି ଅନୁସାରେ, ବେଇବେଇକୁ ଚୀନକୁ ପଠାଯାଇଛି । ଚିଡିଆଖାନାରେ ପହଞ୍ଚିବା ପରେ ଗୁରୁବାର ସକାଳ ଜଳଖିଆରେ ବେଇବେଇ 6 କିଲୋ ବାଉଁଶ ଖାଇଛି । ଶୀଘ୍ର ସେ ଏହି ନୂଆ ଜାଗାରେ ଖାପଖୁଆଉ ଥିବା ଦେଖାଯାଇଛି । ତଥାପି ସମ୍ପୂର୍ଣ୍ଣ ଖାପ ଖୁଆଇବା ପାଇଁ ପ୍ରାୟ ଏକ ମାସ ସମୟ ନେବ ବୋଲି ଜଣାପଡିଛି । ସାଧାରଣତଃ ଏଭଳି ପାଣ୍ଡାମାନେ ସିଚୁଆନର ବାଉଁଶ ଘେରା ପାହାଡରେ ରହିଥାନ୍ତି ।
ଏପଟେ ଆମେରିକା-ଚୀନ ଭିତରେ ସମ୍ପର୍କ ଭଲନଥିବା ବେଳେ ବେଇବେଇ ଦୁଇ ଦେଶ ଭିତରେ ନୂତନ ଆଲୋକ ହୋଇ ଆସିଥିବା କୁହାଯାଉଛି । କାରଣ ବର୍ତ୍ତମାନ ଏହି ଦୁଇ ଦେଶ ଅନେକ ଦିନ ହେବ ବ୍ୟାପାର ବିବାଦରେ ଝୁଲି ରହିଛନ୍ତି ।