ଓଡିଶା

odisha

ETV Bharat / international

କାଜାଖସ୍ତାନର ଅଜଣା ନିମୋନିଆ କୋରୋନା ହୋଇପାରେ: WHO - କୋରୋନା ମହାମାରୀ

ଅଜଣା ନିମୋନିଆ ରୋଗରେ କାଜାଖସ୍ତାନରେ ଜୁନ ମାସରେ ପ୍ରାୟ 600ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ଚୀନ କହୁଛି । ଏହି ଅଜ୍ଞାତ ନିମୋନିଆ କୋରୋନା ଭାଇରସ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

By

Published : Jul 11, 2020, 10:43 PM IST

ଜେନିଭା:କୋରୋନା ମହାମାରୀ ସଙ୍କଟ ମଧ୍ୟରେ ଆଉ ଏକ ଅଜଣା ରୋଗ ସାମ୍ନାକୁ ଆସିଛି । ଅଜ୍ଞାତ ନିମୋନିଆ ରୋଗରେ କାଜାଖସ୍ତାନରେ ଜୁନ ମାସରେ ପ୍ରାୟ 600ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ଚୀନ କହୁଛି । କାଜାଖସ୍ତାନରେ ଥିବା ଚୀନ ଦୂତାବାସ ଏହି ଅଜ୍ଞାତ ନିମୋନିଆ ବିଷୟରେ ଚେତାବନୀ ମଧ୍ୟ ଜାରି କରିଛି । ତେବେ ଏହି ଅଜ୍ଞାତ ନିମୋନିଆ କୋରୋନା ଭାଇରସ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

WHOର ସ୍ୱାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ୍ ରିଆନ୍ ଏନେଇ କହିଛନ୍ତି, ମଧ୍ୟ ଏସିଆ ଦେଶରେ ନିମୋନିଆ ଆକ୍ରାନ୍ତ କଥା ଆମ ନଜରରେ ଥିଲା । ଏନେଇ WHO ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କାର୍ଯ୍ୟ କରୁଛି । ଏହା କୋରୋନା ଭାଇରସ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ, କାଜାଖସ୍ତାନରେ କୋରୋନା ସଂକ୍ରମଣ ମାମଲାରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି । ଗତ ସାତ ଦିନ ମଧ୍ୟରେ ଦେଶରେ 10,000 ରୁ ଅଧିକ ମାମଲା ନିଶ୍ଚିତ ହୋଇଛି । WHO ସ୍ଥାନୀୟ ପରୀକ୍ଷଣ ଅବସ୍ଥାର ଗୁଣବତ୍ତା ଅଧ୍ୟୟନ କରୁଛି ବୋଲି ରିୟାନ୍ କହିଛନ୍ତି ।

ସେ କହିଛନ୍ତି, ଆମେ ପ୍ରକୃତ ପରୀକ୍ଷା ଏବଂ ପରୀକ୍ଷଣର ଗୁଣବତ୍ତା ଉପରେ ଦୃଷ୍ଟି ରଖିଛୁ । କେତେକ ନିମୋନିଆ ପାଇଁ ମିଥ୍ୟା ନକାରାତ୍ମକ ପରୀକ୍ଷା ହୋଇଛି କି ନାହିଁ ଏଥିରୁ ସ୍ପଷ୍ଟ ହୋଇଯିବ । ତେବେ ଏହି ନିମୋନିଆ ରୋଗ ମଧ୍ୟରୁ ଅନେକ କୋରୋନା ମଧ୍ୟ ହୋଇପାରେ । ଯାହାକୁ ଠିକ୍ ଭାବରେ ଚିହ୍ନଟ କରାଯାଇ ନାହିଁ ବୋଲି ରିୟାନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଏସୀୟ ଦେଶମାନଙ୍କରେ ବ୍ୟାପୁଥିବା ଏହି ନିମୋନିଆ ଯୋଗୁଁ ଜୁନ୍‌ ମାସରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କାଜାଖସ୍ତାନରେ ଥିବା ଚୀନ ଦୂତାବାସ ପକ୍ଷରୁ କୁହାଯାଇଥିଲା । ଏହି ନୂଆ ରୋଗଜନିତ ମୃତ୍ୟୁହାର କୋଭିଡ୍-୧୯ ଠାରୁ ଖୁବ୍ ଅଧିକ ବୋଲି ପୂର୍ବତନ ସୋଭିଏତ୍‌ ବ୍ଲକ୍ ଦେଶ କାଜାଖସ୍ତାନରେ ବାସ କରୁଥିବା ଚୀନ ନାଗରିକମାନଙ୍କ ନିମନ୍ତେ ପରାମର୍ଶ ଜାରି କରି ଚୀନ ଦୂତାବାସ କହିଥିଲା ।

ତେବେ ଏହି ଅଜଣା ନିମୋନିଆ ବର୍ଷର ପ୍ରଥମ ଛଅ ମାସରେ ୧, ୭୭୭ ଜଣଙ୍କର ମୃତ୍ୟୁର କାରଣ ହୋଇଛି । ଚୀନ ନାଗରିକମାନଙ୍କ ସମେତ କେବଳ ଜୁନ୍ ମାସରେ ଏଥିଯୋଗୁଁ ୬୨୮ଜଣ ଲୋକ ପ୍ରାଣ ହରାଇଥିବା ଗୁରୁବାର ଚୀନ ଦୂତାବାସ ଏକ ବିବୃତିରେ କହିଥିଲା । ସେପଟେ କାଜାଖସ୍ତାନ ଏହି ଖବରକୁ ଖାରଜ କରିଛି ।

ABOUT THE AUTHOR

...view details