କିଭ୍:ଦିନକୁ ଦିନ ଋଷ-ୟୁକ୍ରେନ ଯୁଦ୍ଧର କୋପ ବଢ଼ି ଚାଲିଛି । ଥମିବାରେ ନାଁ ନେଉନି ଋଷ-ୟୁକ୍ରେନ ବିବାଦ । ଏହାରି ଭିତରେ ଯୁଦ୍ଧକୁ ସମାପ୍ତ କରିବାର ଉପାୟ ବାହାର କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି । ଆଲୋଚନା ବିନା ଯୁଦ୍ଧର ସମାପ୍ତି ନାହିଁ । ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି କି ଯୁଦ୍ଧକୁ ସମାପ୍ତ କରିବାର ଏକମାତ୍ର ଉପାୟ ହେଉଛି ଆଲୋଚନା । ବିନା ଆଲୋଚନାରେ ଋଷ ଯେଉଁ ଯୁଦ୍ଧ ଆକ୍ରମଣ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଜେଲନସ୍କି ପୁଟିନଙ୍କ ସହିତ ଯୁଦ୍ଧ ବନ୍ଦ ସମ୍ପର୍କରେ ଆଲୋଚନା କରିବାକୁ ମୂଳରୁ ପ୍ରସ୍ତାବ ଦେଇ ଆସୁଛନ୍ତି ବୋଲି କହିଛନ୍ତି । ତାଙ୍କ ସହିତ ସିଧାସଳଖ ଗୋଟିଏ ଟେବୁଲରେ ବସି ଆଲୋଚନା କରିବାକୁ ସେ ପ୍ରସ୍ତୁତ ବି ଅଛନ୍ତି । ଆଉ ଏହି ଆଲୋଚନାରେ ଯଦି ସେମାନେ ବିଫଳ ହୁଅନ୍ତି ତେବେ ତୃତୀୟ ବିଶ୍ବ ଯୁଦ୍ଧ ନିଶ୍ଚିନ୍ତ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।
ଅନ୍ୟପକ୍ଷରେ ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧ କୋଟି ୟୁକ୍ରେନ ନାଗରିକ ସେମାନଙ୍କ ଘର ଛାଡ଼ିଲେଣି । ଋଷ ପକ୍ଷରୁ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା ପରେ ସେମାନେ ଏବେ ପ୍ରତିଦିନ ଘର ଛାଡୁଛନ୍ତି । ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ୟୁରୋପରେ ସର୍ବବୃହତ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛି । ଇତି ମଧ୍ୟରେ ପୋପ୍ ଫ୍ରାନ୍ସିସ୍ ଏହି ଯୁଦ୍ଧରେ ପରିସମାପ୍ତି ଘଟାଇବାକୁ ଉଭୟ ପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି । କାରଣ ଏହା ମାନବିକତା ପ୍ରତି ଏକ ନିଷ୍ଠୁର କାର୍ଯ୍ୟ ହୋଇଛି । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ରବିବାର ରାତିରେ ଇସ୍ରାଏଲ ସଂସଦରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ଇସ୍ରାଏଲର ସମର୍ଥନ ଲୋଡ଼ିଛନ୍ତି ।