କାବୁଲ:ଆଫଗାନିସ୍ତାନ ଛାତ୍ରୀଙ୍କ ପାଠପଢାକୁ ଅନୁମତି ଦେବାକୁ ଯାଉଛି ଆତଙ୍କବାଦୀ ସଂଗଠନ ତାଲିବାନ । ଦେଶକୁ ଅକ୍ତିଆର କରି ଏବେ ସେଠାରେ ରାଜ୍ କରୁଥିବା ଏହି ସଂଗଠନ ଆସନ୍ତା ମାର୍ଚ୍ଚ ୨୨ ତାରିଖ ଠାରୁ ଛାତ୍ରୀଙ୍କ ପାଇଁ ହାଇସ୍କୁଲ ଖୋଲିବାକୁ ଯାଉଛି । ଏହି ଇସଲାମିକ ଗ୍ରୁପ ଛାତ୍ରୀଙ୍କୁ ପାଠ ପଢିବାକୁ ଅନୁମତି ଦେବ କି ନାହିଁ ଏହା ଉପରେ ବେଶ ଚର୍ଚ୍ଚା ହେଉଥିଲା । ତେବେ ତାଲିବାନ ମାନେ ଏହି ନିଷ୍ପତ୍ତି ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।
ଗତବର୍ଷ ଅଗଷ୍ଟ ମାସ ସୁଦ୍ଧା ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା ଏହି ଆତଙ୍କବାଦୀ ସଂଗଠନ । ଅନେକ କଟକଣା ମଧ୍ୟରେ ମହିଳାଙ୍କ ପାଇଁ ରହିଥିଲା ସବୁଠୁ ଅଧିକ କଟକଣା । ଯାହାକି ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିଲା । ତାଲିବାନମାନେ ଛାତ୍ରୀଙ୍କୁ ସ୍କୁଲକୁ ଯାଇ ପାଠ ପଢିବାକୁ ବିରୋଧ କରିଥିଲା । ହ୍ୟୁମାନ୍ ରାଇଟ୍ସ ୱାଚ୍(HRW) ର ପୂର୍ବତନ ବରିଷ୍ଠ ଆଫଗାନିସ୍ତାନ ବିଶେଷଜ୍ଞ ହେଦର ବାର୍ କହିଛନ୍ତି ଯେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସେକେଣ୍ଡାରୀ ସ୍କୁଲ ଖୋଲିବା ନିହାତି ଆବଶ୍ୟକ । ତେବେ ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ସେ ତାଲିବାନମାନଙ୍କୁ ଟ୍ବିଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।