କାବୁଲ: ବନ୍ଧୁକ ମୁନରେ କାବୁଲ କବଜା କରି ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇସାରିଥିବା ତାଲିବାନ ନିଜକୁ ସରକାର ଘୋଷଣା କରି ବିଶ୍ବ ସମୁଦାୟ ଆଗରେ ମାଗିଛି ମାନ୍ୟତା । ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରି ମହିଳାଙ୍କ ଅଧିକାରର କଥା ଦୋହରାଇଛି ତାଲିବାନ ।
ଇସଲାମ ଆଧାରରେ ମହିଳାଙ୍କୁ ଅଧିକାର ଦେବା ପାଇଁ ତାଲିବାନ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି ସଂଗଠନର ମୁଖପାତ୍ର ଜବୀହୁଲ୍ଲାହ ମୁଜାହିଦି । ମହିଳାଙ୍କ ସହିତ କୌଣସି ଭେଦଭାବ ହେବ ନାହିଁ ବୋଲି କହିଛନ୍ତି ଜବୀହୁଲ୍ଲାହ ।
ତାଲିବାନ ମୁଖପାତ୍ର କହିଛନ୍ତି, ମହିଳାଙ୍କୁ ସ୍କୁଲ ଓ ହସ୍ପିଟାଲରେ କାମ କରିବାକୁ ଅନୁମତି ମିଳିବ । ନାଗରିକମୂଲ୍ୟବୋଧ ଆଧାରରେ ଯାହା ସଠିକ ସେହିଭଳି ଆଇନ ଆଫଗାନିସ୍ତାନରେ ଗଠନ ହେବ । ଏଭଳିସ୍ଥିତିରେ ଅନ୍ୟ ଦେଶ ତାଲିବାନକୁ ସମ୍ମାନ କରିବା ଦରକାର ବୋଲି ଜବୀହୁଲ୍ଲାହ କହିଛନ୍ତି ।
ମିଡିଆରେ ମହିଳାଙ୍କ କାର୍ଯ୍ୟ କରିବାକୁ ନେଇ ପ୍ରଶ୍ନର ଉତ୍ତରରେ ତାଲିବାନ ମୁଖପାତ୍ର କହିଛନ୍ତି, ଯେବେ ସରକାର ଗଠନ ହେବ, ସେବେ ସରିଆ ଆଇନ ଆଧାରରେ କଣ ସବୁକୁ ଅନୁମତି ମିଳିବ ତାହା ସ୍ପଷ୍ଟ ହେବ ।
ଦୁଇ ଦଶନ୍ଧି ପୂର୍ବରୁ ତାଲିବାନ ମହିଳାମାନଙ୍କୁ ଘର ଭିତରେ ହିଁ ସୀମିତ କରି ରଖିଥିଲା । ସେମାନଙ୍କ ଶାସନ କାଳରେ ଚାଲିଥିଲା ଅତ୍ୟାଚାର । ତାଲିବାନ ପୁଣି ଥରେ ଆଫଗାନିସ୍ତାନ ଦଖଲ କରିସାରିଛି । ଏଭଳି ପରିସ୍ଥିତିରେ ତାଲିବାନ ଶାସନରେ ମହିଳାଙ୍କ ସୁରକ୍ଷା, ଶିକ୍ଷା ଏବଂ ସ୍ବାଧୀନତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ।