କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଆରମ୍ଭ କରିଛି ମହିଳା ବିରୋଧୀ ଆଇନ । ଆଫଗାନିସ୍ତାନର ପ୍ରମୁଖ ସ୍ଥଳ କୁହାଯାଉଥିବା ହେରାତରେ କୋ-ଏଜୁକେସନ ହଟାଇବାକୁ ଏଠାକାର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଗୋଟିଏ କ୍ଲାସରେ ପୁଅ-ଝିଅ ଏକାଠି ବସି ପାଠ ପଢିପାରିବେ ନାହିଁ । ବିଭିନ୍ନ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ୩ ଘଣ୍ଟା ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛି ତାଲିବାନ ।
ପୂର୍ବରୁ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟର କ୍ଲାସରୁମରେ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢନ୍ତି । କିନ୍ତୁ ତାଲିବାନର ନିର୍ଦ୍ଦେଶ ଅନୁଯାୟୀ ଏଣିକି ଏକାଠି ବସି ପାଠ ପଢିପାରିବେ ନାହିଁ ଛାତ୍ରଛାତ୍ରୀ । ହେରତ ଅଧ୍ୟାପକଙ୍କ କହିବା ଅନୁସାରେ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ଅଲଗା କ୍ଲାସରୁମରେ ଶିକ୍ଷାଦାନ ସମ୍ଭବ । ମାତ୍ର ଘରୋଇ ଶିକ୍ଷାନୁଷ୍ଠାନରେ କମ ଛାତ୍ରୀ ଥିବାରୁ ଏଠାରେ ଅଲଗା କ୍ଲାସରୁମ ସମ୍ଭବ ନୁହେଁ । ତେବେ ଏଭଳି ସ୍ଥିତିରେ ଆଫଗାନିସ୍ତାନରେ କୋ-ଏଜୁକେସନକୁ ହଟାଇବା ଉଚିତ, ଯେହେତୁ ଏହି ବ୍ୟବସ୍ଥା ସମାଜର ସମସ୍ତ ବିବାଦର ମୂଳ ବୋଲି କହିଛନ୍ତି ଆଫଗାନିସ୍ତାନର ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ମୁଲ୍ଲାହ ଫରିଦ ।