ସିଓଲ: ଦକ୍ଷିଣ କୋରିଆରେ କୋରୋନାର ପ୍ରଭାବ କମ ଥିଲେ ସୁଦ୍ଧା ସୁରକ୍ଷାକୁ ନଜରରେ ରଖି ଶନିବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି ବାର୍ଷିକ ସ୍ମାରକୀ ଦିବସ । କୋରିଆନ ଯୁଦ୍ଧ ତଥା ଦେଶର ସ୍ବାଧୀନତା ଓ ଗଣତାନ୍ତ୍ରିକ ଆନ୍ଦୋଳନରେ ଭାଗ ନେଇଥିବା ସଂଗ୍ରାମୀ ଓ ସେମାନଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏଥିସହ ଦେଶରେ କୋରୋନା ଯୁଦ୍ଧରେ ପ୍ରାଣ ହରାଇଥିବା ଆଗଧାଡିର ଯୋଦ୍ଧାଙ୍କ ପରିବାରବର୍ଗ ଶନିବାର ଆୟୋଜିତ 65 ତମ ସ୍ମାରକୀ ଦିବସରେ ସାମିଲ ହୋଇଥିଲେ । 2010 ମସିହାରେ ବୁଡିଯାଇଥିବା ଚେଓନାନ ସାମରିକ ଜାହାଜରୁ ଅଳ୍ପକେ ବର୍ତ୍ତିଥିବା ନାଗରିକ ଓ ସେମାନଙ୍କ ପରିବାରର 7 ଜଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ରାଷ୍ଟ୍ରପତି ମୁନ ଜୈ-ଇନ, ଶାସକ ଦଳ ଓ ବିରୋଧୀ ଦଳରେ ବରିଷ୍ଠ ନେତା ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସମ୍ବୋଧନ କରି ରାଷ୍ଟ୍ରପତି ମୁନ କହିଥିଲେ କି ଦେଶ ସ୍ବାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ଲୋକଙ୍କୁ ଦେଶବାସୀ ସମ୍ମାନ ଦେବା ଆବଶ୍ୟକ । ସରକାର ଦେଶ ଗଠନରେ ସେମାନଙ୍କ ଅବଦାନକୁ ସବୁବେଳେ ମନେ ରଖିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜାତୀୟ ଶ୍ମଶାନ ଘାଟରେ ହେବା ନେଇ ଯୋଜନା ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ରାଜଧାନୀଠାରୁ 160 କିଲୋମିଟର ଦୂର ଦାଇଜିଓନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା ।
ଦେଶର ମହାନଗର ନିଗମ ଅଞ୍ଚଳରେ କୋରୋନାର ପ୍ରଭାବ ଅଧିକ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଅଧିକାରୀଙ୍କ ସୂଚନା ମୁତାବକ ଗତବର୍ଷ ଆମନ୍ତ୍ରିତ 10,000 ଅତିଥି ସଂଖ୍ୟାକୁ ଚଳିତବର୍ଷର ପରିସ୍ଥିତିକୁ ନଜରରେ ରଖି 300ରେ ସୀମିତ ରଖାଯାଇଥିଲା । ଏଥିସହ କାର୍ଯ୍ୟକ୍ରମରେ ଆବଶ୍ୟକୀୟ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା ।
@IANS