ସିଓଲ: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଥିବା ତିକ୍ତ ପରିସ୍ଥିତିର ସମାଧାନ ପାଇଁ 2018 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତିର ଉତ୍ତର କୋରିଆ ପାଳନ କରିବା ଦରକାର । ଏପରି କିଛି ମତ ଦେଇଛନ୍ତି ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଜେଓଙ୍ଗ କ୍ୟେଓଙ୍ଗ-ଡୁ ଓ ଆମେରିକୀୟ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର । ଗୁରୁବାର କୋରିଆନ ଯୁଦ୍ଧର 70 ବର୍ଷ ପୂର୍ତ୍ତି ଅବସରରେ ଉଭୟେ ଏପରି ମିଳିତ ମନ୍ତବ୍ୟ ଦେଇଛନ୍ତି । ଏଥିସହ ସେମାନେ ଏହା ମଧ୍ୟ କହିଛନ୍ତି ଉତ୍ତର କୋରିଆର ଆଣବିକ ନିରସ୍ତ୍ରୀକରଣ ହେବା ସହ ଚୁକ୍ତି ମୁତାବକ ଏହା ସଂଯୁକ୍ତ ପ୍ରତିରକ୍ଷା ସ୍ଥିତି ବଜାୟ ରଖିବା ଦରକାର ।
ଲଗାତାର ଉତ୍ତର କୋରିଆ ଦ୍ବାରା 2018 ମସିହାରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତିର ନିୟମ ଉଲଙ୍ଘନ ହୋଇ ଚାଲିଥିବାରୁ ଉଭୟ ଦକ୍ଷିଣ କୋରିଆ ଓ ଆମେରିକା ଏଥିରୁ ନିବୃତ୍ତ ରହିବା ପାଇଁ ଉତ୍ତର କୋରିଆକୁ ପରାମର୍ଶ ଦେଇଛନ୍ତି । ସେପ୍ଟେମ୍ବର 19ର ଅନ୍ତଃକୋରିଆନ ସାମରିକ ଚୁକ୍ତି ଓ ସିଙ୍ଗାପୁରଠାରେ ଆୟୋଜିତ ଉତ୍ତର କୋରିଆ-ଆମେରିକା ଆଲୋଚନା ଆଧାରରେ ଉତ୍ତର କୋରିଆ ନିଜ ହିଂସାତ୍ମକ ଆଚରଣ ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି ।