ହଂକଂ: ହଂକଂରେ ଆରମ୍ଭ ହୋଇଥିବା ସ୍ଥାନୀୟ ସଂକ୍ରମଣ ପାଇଁ ଚେତିଛନ୍ତି ସରକାର । କିଛି ଦିନର ବିରତି ପରେ ଚୀନରେ ଆରମ୍ଭ ହୋଇଥିବା ସ୍ଥାନୀୟ ସଂକ୍ରମଣ ବର୍ତ୍ତମାନ ଦ୍ରୁତ ବେଗରେ ବଢି ଚାଲିଥିବା ଦେଖାଯାଉଛି । କୋରୋନା ସ୍ଥିତିରେ ନିୟନ୍ତ୍ରଣ ଆସିବାରୁ ଧିରେ ଧିରେ ବ୍ୟବସାୟ ସ୍ବାଭାବିକ ହେବାରେ ଲାଗିଥିବା ବେଳେ ହଠାତ୍ ସଂକ୍ରମଣରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣେ କୋହଳ ହୋଇଥିବା ନିୟମକୁ ପୁଣି କଡାକଡି କରିବା ପାଇଁ ଯୋଜନା ମଧ୍ୟ ଆରମ୍ଭ ହୋଇଛି ।
ହଂକଂରେ ନିୟମ କୋହଳ ହେବା ସହ ରେସ୍ତୋରାଁରେ 16 ଜଣ ଲୋକଙ୍କୁ ଏକାଠି ବସିବାର ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ଏହି ନିଷ୍ପତ୍ତି ଉପରେ ପୁନଃବିଚାର ଆରମ୍ଭ ହୋଇଛି । ପୁନଃବିଚାର ଅନୁଯାୟୀ ରେସ୍ତୋରାଁରେ ଏକାଠି ବସିବାର ସଂଖ୍ୟାକୁ 16ରୁ 8କୁ ଖସାଇବା ପାଇଁ ଆଲୋଚନା କରାଯାଉଛି । ନିକଟରେ ହଂକଂରେ ଏକକାଳୀନ 24 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 16 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବାରୁ କୋହଳ ହୋଇଥିବା ନିୟମ ସବୁକୁ ପୁଣି କଡାକଡି କରିବା ପାଇଁ ଆଲୋଚନା ଆରମ୍ଭ ହୋଇଥିବା ଜଣା ପଡିଛି ।
ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୋଫିଆ ଚାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ହଂକଂରେ କୋରୋନା କଟକଣାକୁ ପୁଣି ଥରେ କଡାକଡି କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ପ୍ରାଥମିକ ସ୍ତରରେ ସାର୍ବଜନୀନ ସ୍ଥାନରେ ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଉଛି । ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ କଟକଣା ମଧ୍ୟ କଡାକଡି ହେବ । ଆବଶ୍ୟକସ୍ଥଳରେ କିଛି ନୂଆ କଟକଣା ମଧ୍ୟ ଲାଗୁ କରାଯାଇପାରେ । ତେବେ ବର୍ତ୍ତମାନ ରହିଥିବା 16 ଜଣିଆ ଲୋକେ ଏକାଠି ହେବା ନିୟମ ଗତ ଜୁନ 19ରୁ ଲାଗୁ କରାଯାଇଥିଲା ।
ସୂଚନା ମୁତାବକ ହଂକଂରେ ବର୍ତ୍ତମାନ କୋରୋନା ସଂକ୍ରମଣ ପାଇଁ ନୂଆ ନୂଆ କ୍ଲଷ୍ଟର ଚିହ୍ନଟ କରାଯାଉଛି । ଏଥିରେ ଗୋଟିଏ କ୍ଲଷ୍ଟରରୁ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଅନ୍ୟ ଏକ କ୍ଲଷ୍ଟରରେ 16 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ରବିବାର ସୁଦ୍ଧା ହଂକଂରେ ନୂଆ 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ କିଛି ଜଣ ବିଦେଶରୁ ଫେରିଥିବା ଜଣା ପଡିଛି । ଏଥିସହ ହଂକଂରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା 1323ରେ ପହଞ୍ଚିଥିବା ରେକର୍ଡ କରାଯାଇଛି ।
@IANS