ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶାସନର ମଙ୍ଗ ଧରିଛି ତାଲିବାନ । ଗୋଟିଏ ପରେ ଗୋଟିଏ ଅଞ୍ଚଳ ଅଧିକୃତ କରିବା ପରେ ତାଲିବାନୀ କାବୁଲରେ ପହଞ୍ଚି ସମଗ୍ର ରାଷ୍ଟ୍ରକୁ କବଜା କରିଛି । ଯେଉଁ କାରଣରୁ ଦେଶ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ଅଶରଫ ଘନି । ତାଲିବାନର କବଜା ପରେ ବିଶ୍ବ ସମୁଦାୟ ତା'ର ଆତଙ୍କରାଜକୁ ନେଇ ଚିନ୍ତା ପ୍ରକଟ କରିବା ସହ wait and watch ନୀତି ଆପଣାଇଛନ୍ତି । ହେଲେ ଚୀନ ଏବଂ ପାକିସ୍ତାନ ଭଳି ରାଷ୍ଟ୍ର ତାଲିବାନ ସରକାରକୁ ମାନ୍ୟତା ଦେଇଛନ୍ତି ।
ଏପରି ଲାଗୁଛି କି ତାଲିବାନକୁ ସମଗ୍ର ବିଶ୍ବରେ ମାନ୍ୟତା ଦେବାକୁ ଠିକା ନେଇଛି ଦରଦୀ ପାକିସ୍ତାନ । ତାଲିବାନ ସତ୍ତାରେ ରହିବା ମାତ୍ରେ ତା' ସପକ୍ଷରେ ସମର୍ଥନ ଜୁଟାଇବାକୁ ପାକ୍ ବୈଦେଶିକ ମନ୍ତ୍ରୀ ବିଦେଶ ଭ୍ରମଣରେ ବାହାରିଥିଲେ । ତେବେ ତାଲିବାନକୁ ନେଇ ପାକର ପ୍ରୟାସକୁ ବଡ ଝଟକା ଲାଗିଛି । କାରଣ ଆସନ୍ତା ୨୫ ତାରିଖରେ ଆମେରିକାର ନ୍ୟୁୟର୍କରେ ହେବାକୁ ଥିବା SAARC ବୈଠକ ରଦ୍ଦ ହୋଇଯାଇଛି । ଯେଉଁଥିରେ ପାକିସ୍ତାନ ତାଲିବାନକୁ ସାମିଲ ପାଇଁ ଦାବି କରିଥିଲା ।