ଟୋକିଓ: ଜାପାନରେ ଗତ 3 ଦିନ ହେବ ଲଗାଣ ବର୍ଷାରୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଶନିବାର ଓ ରବିବାର ଏଠାରେ ମୂଷଳ ଧାରାରେ ବର୍ଷା ହେବା ପରେ ସୋମବାର ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏମିତିରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ 37 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟୁସୁ ଦ୍ବୀପରେ 13 ଜଣ ନିଖୋଜ ରହିଛନ୍ତି ।
ଲଗାଣ ବର୍ଷା ଯୋଗୁଁ କୁମାମୋଟୋ ଓ କୋଗୋସିମାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ବନ୍ୟାରେ ଫସି ରହିଥିବା ବାସିନ୍ଦାଙ୍କୁ ଉଦ୍ଧାର କରିବା ପାଇଁ ପାଖାପାଖି 40,000 ଉଦ୍ଧାରକାରୀ କର୍ମକର୍ତ୍ତା ନିୟୋଜିତ ରହିଛନ୍ତି । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏବେ ବି ସନ୍ଧାନ ପ୍ରକ୍ରିୟା ଜାରି ରହିଛି ।