ଇସଲାମାବାଦ: ପାକ୍ ଅଧିକୃତ କାଶ୍ମୀରର ମୁଜାଫରବାଦରେ ଚୀନ ବିରୋଧୀ ପ୍ରଦର୍ଶନ । ଏଠାକାର ସ୍ଥାନୀୟ ବାସିନ୍ଦା ନୀଲମ୍ ଏବଂ ଝେଲମ୍ ନଦୀରେ ବେଆଇନ ବନ୍ଧ ନିର୍ମାଣକୁ ବିରୋଧ କରି ସ୍ବର ଉତ୍ତୋଳନ କରିଛନ୍ତି। ଏପରିକି ମୁଜାଫରବାଦ ସହରରେ ଏକ ବିଶାଳ ମଶାଲ ରାଲି କରିଛନ୍ତି । ପ୍ରଦର୍ଶନକାରୀମାନେ ନଦୀ ବଞ୍ଚାଅ , ମୁଜାଫରବାଦ ବଞ୍ଚାଅ ଭଳି ସ୍ଲୋଗାନ ମଧ୍ୟ ଦେଇଛନ୍ତି ।
ନିକଟରେ ପାକିସ୍ତାନ ଏବଂ ଚୀନ ପିଓକେରେ ଆଜାଦ ପଟ୍ଟନ ଏବଂ କୋହଲା ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ର ଅଂଶ ଭାବରେ 700.7 ମେଗାୱାଟ ବିଦ୍ୟୁତର ଆଜାଦ ପଟ୍ଟନ ହାଇଡେଲ ପ୍ରକଳ୍ପ ଜୁଲାଇ 6 ରେ ସ୍ବାକ୍ଷରିତ ହୋଇଛି। କୋହଲା ଜଳ ବିଦ୍ୟୁତ୍ ପ୍ରକଳ୍ପ ଯାହା ଜେଲମ୍ ନଦୀ ଉପରେ ନିର୍ମିତ ହେବ ତାହା ପିଓକେର ସୁଧାନୋଟି ଜିଲ୍ଲାର ଆଜାଦ ପଟ୍ଟନ ବ୍ରିଜ୍ ଠାରୁ ପ୍ରାୟ 7 କିଲୋମିଟର ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦ ଠାରୁ 90 କିଲୋମିଟର ଦୂରରେ ଅବସ୍ଥିତ। 2026 ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଚୀନ ଥ୍ରୀ ଗର୍ଗସ୍ କର୍ପୋରେସନ୍, ଆନ୍ତର୍ଜାତୀୟ ଅର୍ଥ ନିଗମ (ଆଇଏଫସି) ଏବଂ ରେଶମ ରୋଡ୍ ପାଣ୍ଠି ଦ୍ବାରା ପ୍ରାୟୋଜିତ ହେବ।