କାଠମାଣ୍ଡୁ: ନେପାଳରେ ଥମୁନାହିଁ ରାଜନୈତିକ ସଙ୍କଟ । ଦିନକୁ ଦିନ ଅରାଜକତା ଭିତରକୁ ଠେଲି ହୋଇଯାଉଛି ଦେଶ । ଏହାରି ମଧ୍ୟରେ ସୋମବାର ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଦେଖିବାକୁ ମିଳିଛି ପ୍ରବଳ ବିରୋଧ ପ୍ରଦର୍ଶନ । ରାଜଧାନୀ କାଠମାଣ୍ଡୁରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ପ୍ରଦର୍ଶନକାରୀଙ୍କୁ ଘଉଡାଇବାକୁ ପୋଲିସ ଲାଠି ଚାର୍ଜ ସହିତ ପାଣିମାଡ କରିଛି ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ପ୍ରବଳ ବିରୋଧ ପ୍ରଦର୍ଶନ ସୋମବାର ରାଜଧାନୀ କାଠମାଣ୍ଡୁରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ସଂସଦ ଭଙ୍ଗକୁ ନେଇ ପ୍ରଦର୍ଶନ ହେଉଥିଲା । ମାନବାଧିକାର ଓ ଶାନ୍ତି ସମାଜର କର୍ମକର୍ତ୍ତାମାନେ ଏହି ପ୍ରଦର୍ଶନରେ ସାମିଲ ଥିଲେ । ତେବେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ନେପାଳ ପୋଲିସ ଗିରଫ କରିଛି ।
ରବିବାର ନେପାଳ ରାଜନୀତିରେ ବଡ ଭୂମିକମ୍ପ ଦେଖିବାକୁ ମିଳିଥିଲା । ନେପାଳର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଦଳରୁ ବହିଷ୍କାର କରିଥିଲା କମ୍ୟୁନିଷ୍ଟ ପାର୍ଟି । ଏଥିସହ ଦଳରୁ ଓଲିଙ୍କ ସଦସ୍ୟତା ମଧ୍ୟ ରଦ୍ଦ ହୋଇଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହ ଆଲୋଚନା କରି ବିଦ୍ରୋହୀ ଗୋଷ୍ଠୀ ସମୁହର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିଥିଲେ ଯେ କେପି ଶର୍ମା ଓଲିଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।
ନେପାଳରେ 20 ଡିସେମ୍ବର 2020ରେ ନେପାଳ ରାଜନୀତିରେ ଘୋଟି ଆସିଥିଲା ସଙ୍କଟର କଳା ବାଦଲ । ଚୀନ ସମର୍ଥକ ଭାବରେ ବିବେଚିତ ହୋଇଥିବା ଓଲି ଅଚାନକ ପ୍ରଚଣ୍ଡଙ୍କ ସହ ଶକ୍ତି ସଂଗ୍ରାମ ମଧ୍ୟରେ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସେହି ଦିନ ଲୋକସଭାକୁ ଭଙ୍ଗ କରି 30 ଏପ୍ରିଲ ଏବଂ 10 ମଇରେ ନୂତନ ନିର୍ବାଚନ ତାରିଖ ଘୋଷଣା କରିଥିଲେ ।