ପ୍ରାକୃତିକ ସୌନ୍ଦର୍ଯ୍ୟ କାହାକୁ ବା ନାପସନ୍ଦ । ଦିନ ସାରାର ଥକାପଣ ଓ ମାନସିକ ଅବସାଦକୁ କ୍ଷଣିକରେ ଦୂର କରିବାର କ୍ଷମତା ରଖେ ପ୍ରକୃତି । ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ରଙ୍ଗ ବେରଙ୍ଗଚର ଫୁଲ ଯଦି କେହି ପ୍ରକୃତି କୋଳରେ ସଜେଇ ଦିଏ, ତାହେଲେ ଭାବନ୍ତୁ ତ ଦୃଶ୍ୟ କେତେ ସୁନ୍ଦର ଲାଗିବ ? ଏପରି ଏକ ଆଖି ଲାଖିବା ପରି ସ୍ଥାନଟିଏ ହେଉଛି ଜାପାନର ହିତାଚି ସି-ସାଇଡ ପାର୍କ । ରାଜଧାନୀ ଟୋକିୟୋଠାରୁ ପ୍ରାୟ 2 ଘଣ୍ଟାର ଦୂରତାରେ ରହିଛି ଏହି ଚିତ୍ତାକର୍ଷକ ପାର୍କ ।
ପ୍ରକୃତିର ଉପହାର ଜାପାନର ବିସ୍ମୟ ପାର୍କ ‘ହିତାଚି ସି-ସାଇଡ ପାର୍କ’ - ଅଜଣା କଥା
ପ୍ରଶାନ୍ତ ମହାସାଗରର ଉପକୂଳରେ ଥିବା ଏହି ପାର୍କରେ ରହିଛି ଏକ ପାହାଡିଆ ଭୂମି । ଯେଉଁଥିରେ ରହିଛି ରଙ୍ଗ ବେରଙ୍ଗର ବିଭିନ୍ନ କିସମର ଫୁଲର ବିସ୍ତୀର୍ଣ୍ଣ ଚାଦର । ବର୍ଷତମାମ ପ୍ରତ୍ୟେକ ଋତୁରେ ଏଠାରେ ଫୁଟେ ବିଭିନ୍ନ କିସମର ଫୁଲ । ଅଧିକ ପଢନ୍ତୁ...

ପ୍ରଶାନ୍ତ ମହାସାଗରର ଉପକୂଳରେ ଥିବା ଏହି ପାର୍କରେ ରହିଛି ଏକ ପାହାଡିଆ ଭୂମି । ଯେଉଁଥିରେ ରହିଛି ରଙ୍ଗ ବେରଙ୍ଗର ବିଭିନ୍ନ କିସମର ଫୁଲର ବିସ୍ତୀର୍ଣ୍ଣ ଚାଦର । ବର୍ଷତମାମ ପ୍ରତ୍ୟେକ ଋତୁରେ ଏଠାରେ ଫୁଟେ ବିଭିନ୍ନ କିସମର ଫୁଲ । ଆଉ ଏହି ଫୁଲ ଚାଦରର ଦେଖାଶୁଣା ପାଇଁ ରହିଛନ୍ତି ସ୍ବତନ୍ତ୍ର କର୍ମଚାରୀ । ଏହି ପାର୍କରେ ରଙ୍ଗ ବେରଙ୍ଗର ଫୁଲ ମୁଖ୍ୟ ଆକର୍ଷଣ ଥିବା ବେଳେ ଏଠାକାର ଅନ୍ୟତମ ଆକର୍ଷଣ ହେଉଛି ମନୋରଞ୍ଜନ ଭିତ୍ତିକ ପାର୍କ ଓ ଦୋଳି । ଯାହାର ମଜା ଉଠାଇବା ପାଇଁ ଦେଶ ବିଦେଶରୁ ଜମେ ପର୍ଯ୍ୟଟକଙ୍କ ଭିଡ ।
ପ୍ରକୃତିର ଉପହାର ତଥା ବିସ୍ମୟ ପାର୍କ ଭାବେ ଜଣା ଯାଉଥିବା ଏହି ହିତାଚି ପାର୍କକୁ ନେଇ ଜାଣନ୍ତୁ କିଛି ଅଜଣା କଥା...
- ଜାପାନର ଇବାରାକି ପ୍ରାନ୍ତରେ ଥିବା ହିତାଚିନାକା ସହରରେ ଥିବା ସର୍ବବୃହତ ଦ୍ବୀପ ହୋନସୁରେ ରହିଛି ଏହି ବିସ୍ମୟ ପାର୍କ ।
- ଜାପାନୀ ଭାଷାରେ ଏହି ପାର୍କକୁ ‘କୋକୁଏଇ ହିତାଚି କାଇହିଙ୍କୋଏନ’ ବୋଲି କୁହାଯାଏ ।
- ପ୍ରାୟ 190 ହେକ୍ଟର ବା 470 ଏକରରେ ବ୍ୟାପ୍ତ ଏହି ପାର୍କ । ଏହି ଅଞ୍ଚଳ ମଧ୍ୟରେ ଗୋଟିଏ ପାହାଡ, ଜଙ୍ଗଲ, ଉଦ୍ୟାନ ଓ ମନୋରଞ୍ଜନ ପାଇଁ ସ୍ଥାନ ରହିଛି ।
- ଏଠାରେ ପ୍ରାୟ 4.5 ମିଲିୟନ ନୀଳ ନେମୋଫିଲା ଫୁଲ ଗଛ ଦେଖିବାକୁ ମିଳିଥାଏ । ଏଥିସହ 1 ମିଲିୟନ ଡାଫୋଡିଲ, 170 ବିଭିନ୍ନ ପ୍ରକାରର ଟ୍ୟୁଲିପ ଓ ଆହୁରି ଅନେକ ଫୁଲ ଗଛ ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ ।
- ଏହି ପାର୍କର ସୌନ୍ଦର୍ଯ୍ୟ ବଢାଇବା ସହ ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରହିଛି ବିଭିନ୍ନ ବ୍ୟବସ୍ଥା । ସେଥିମଧ୍ୟରେ ରହିଛି ବିଶାଳ ବୃତ୍ତାକାର ଝୁଲା, ରୋଲରକୋଷ୍ଟର, ଗୋଟିଏ ଜଳାଶୟ, ୱାଟର ପ୍ଲେ ଗ୍ରାଉଣ୍ଡ, ଜାଲ ସଦୃଶ ଅଙ୍କା ବଙ୍କା ରାସ୍ତା ।
- ଏହି ଅଙ୍କା ବଙ୍କା ରାସ୍ତାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକ କିପରି ସହଜରେ ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ଓ କୌଣସି ପର୍ଯ୍ୟଟକ ଅନ୍ୟ ଜଣଙ୍କ ରାସ୍ତାରେ ଆସିବେ ନାହିଁ ।
- ଏହି ପାର୍କରେ ଅନୁଷ୍ଠିତ ହୁଏ ଜାପାନର ସବୁଠାରୁ ବଡ ବାର୍ଷିକ ମ୍ୟୁଜିକ ପ୍ରୋଗ୍ରାମ ।
- ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମାର୍ଦ୍ଧରେ ଏଠାରେ ‘ଦି ରକ’ ଫେଷ୍ଟିଭାଲର ଆୟୋଜନ ହୋଇଥାଏ । ଯେଉଁଠି ଲକ୍ଷ ଲକ୍ଷ ଲୋକେ ଏକତ୍ରିତ ହୁଅନ୍ତି ।
- ଏହି ପାର୍କରେ ଏଣ୍ଟ୍ରି ଓ ପାର୍କିଂରେ ଟିକେଟ ଲାଗୁଥିବା ବେଳେ ନିଜ ପୋଷା ଜୀବଙ୍କୁ ନେଇ ମଧ୍ୟ ଏହି ପାର୍କରେ ପ୍ରବେଶ ପାଇଁ ଅନୁମତି ରହିଛି । ହେଲେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପୋଷା ଜୀବଙ୍କୁ ନେବା ପାଇଁ ବାରଣ କରାଯାଇଛି ।
- ଏଠାରେ ଲୋକଙ୍କ ମନୋରଞ୍ଜନ ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରହିଛି ସାଇକେଲିଂ ପାଥ ବା ସାଇକେଲ ଚାଳନା ପାଇଁ ସ୍ବତନ୍ତ୍ର ରାସ୍ତା । ଏହାଛଡା କେତେକ ସାର୍ବଜନୀନ ରାସ୍ତା ମଧ୍ୟ ଏହି ପାର୍କର ଶୋଭା ବଢାଇଥାଏ ।
- ଏହି ପାର୍କରେ ବର୍ଷତମାମ ଫୁଲ ଫୁଟୁଥିଲେ ସୁଦ୍ଧା ବସନ୍ତ ଋତୁରେ ଦେଖିବାକୁ ମିଳେ ସର୍ବାଧିକ ଫୁଲ । ମୁଖ୍ୟତଃ ଏହି ସମୟରେ ପାର୍କରେ ନେମୋଫିଲାର ସମ୍ଭାର ବସନ୍ତ ଋତୁରେ ଦେଖିବାକୁ ମିଳୁଥିବାରୁ ଏହି ସମୟରେ ପାର୍କକୁ ‘ନେମୋଫିଲା ହାରମୋନି’ ବୋଲି ମଧ୍ୟ କୁହାଯାଏ ।
- - 2011 ମସିହାରେ ଜାପାନରେ ହୋଇଥିବା ଭୟଙ୍କର ଫୁକିସିମା ଆଣବିକ ଉଦଗିରଣ ଯୋଗୁଁ ଆଜି ବି ଏହାର ପ୍ରଭାବ ହିତାଚି ପାର୍କର କେତେକ ସ୍ଥାନରେ ଦେଖିବାକୁ ମିଳେ । ଏହାକୁ ନଜରରେ ରଖି ପାର୍କର ସେହି ନିର୍ଦ୍ଦିଷ୍ଟ ସ୍ଥାନଗୁଡିକ ସମୟ ସମୟେ ପ୍ରବେଶ ନିଷେଦ୍ଧ କରାଯାଇଥାଏ ।
- ଏଠାରେ ଏବେ ବି ଆଣବିକ ରେଡିଏସନ ବାହାରୁଥିବାରୁ ଏଠାକୁ ପର୍ଯ୍ୟଟକଙ୍କୁ ଯିବାକୁ ଦିଆଯାଏ ନାହିଁ । ତେବେ ଏହି ସ୍ଥାନଗୁଡିକ ଉପରେ ନିୟମିତ ନଜର ରଖାୟିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ।