କରାଚି: ମେ’ 22ରେ ପାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ । କରାଚିରେ ହୋଇଥିବା ଏହି ଦୁର୍ଘଟଣାରେ ମାନବଗତ ତ୍ରୁଟି ବା ଅବହେଳା ଯୋଗୁଁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଉଭୟ କକପିଟ୍ ଓ ଏୟାର କଣ୍ଟ୍ରୋଲ ଟାୱାର ମଧ୍ୟରେ ହୋଇଥିବା ତ୍ରୁଟି ଯୋଗୁଁ ଆଖି ପିଛୁଳାକେ ମୃତ୍ୟୁ ମୁହଁକୁ ଠେଲି ହୋଇଯାଇଥିଲେ 99 ମଧ୍ୟରୁ 97 ଯାତ୍ରୀ ।
ଏହି ଘଟଣା ପଛରେ ଦୀର୍ଘ ଦିନ ଧରି ଚାଲିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି କି ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ରହିନଥିଲା । ଏନେଇ ସୋମବାର ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର ହୋଇଛି ପ୍ରାଥମିକ ତଦନ୍ତ ରିପୋର୍ଟ । ପିଆଇଏ PK8303 ବିମାନ 8 ଜଣ କ୍ରିୟୁ ସଦସ୍ୟଙ୍କ ସମେତ 99 ଜଣ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଫେରୁଥିବା ବେଳେ କରାଚି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ଦ୍ବିତୀୟ ଥର ପାଇଁ ବିମାନ ଅବତରଣର ଚେଷ୍ଟା କରିଥିଲେ ପାଇଲଟ ।
ଏହି ବିମାନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ବେସାମରିକ ବିମାନ ଚଳାଚଳ ବିଭାଗ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜୁନ 22ରେ ଏହି ତଦନ୍ତର ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । ବିମାନର ବ୍ଲାକବକ୍ସକୁ ତଦନ୍ତ ପାଇଁ ଫ୍ରାନ୍ସ ପଠାଯାଇଥିବା ବେଳେ ରିପୋର୍ଟ ମୁତାବକ କକ୍ପିଟ୍ କ୍ରିୟୁ, କଣ୍ଟ୍ରୋଲ ଟାୱାର ଓ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହୋଇଥିଲା ।