ଇସଲାମବାଦ: ପାକିସ୍ତାନ ଟିଭି ପରଦାରୁ ବ୍ୟାନ ହେଲା ଅଶ୍ଲୀଳତା ଏବଂ ଅନ୍ତରଙ୍ଗତା । ଏଣିକି ଟେଲିଭିଜନରେ ଅନ୍ତରଙ୍ଗ ସିନ ଗୁଡିକ ଆଉ ପ୍ରସାରିତ କରାଯିବ ନାହିଁ । ଏହାକୁ ବନ୍ଦ କରିବାକୁ ପାକିସ୍ତାନ ଟିଭି ଚ୍ୟାନେଲ ଗୁଡିକୁ ପାକ୍ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି (PEMRA) ନିର୍ଦ୍ଦେଶ ଦେଇଛି । ଟେଲିଭିଜନରେ ପ୍ରସାରିତ ହେଉଥିବା ନାଟକ ଓ ସିରିଏଲରେ ବୋଲ୍ଡ ସିନ୍, ବେଡ ସିନ୍ , ଆଲିଙ୍ଗନ ପରି ଅନ୍ତରଙ୍ଗ ଦୃଶ୍ୟ ଗୁଡିକୁ ବନ୍ଦ କରିବାକୁ ସ୍ଥାନୀୟ ଚ୍ୟାନେଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଟିଭି ପରଦାରେ ପ୍ରସାରିତ ହେଉଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ନେଇ ଅନେକ ଦର୍ଶକ ଅଭିଯୋଗ କରିଛନ୍ତି । ଏଥିସହ ପ୍ରଦର୍ଶିତ ହେଉଥିବା ଚରିତ୍ର “ପାକିସ୍ତାନୀ ସମାଜର ପ୍ରକୃତ ଚିତ୍ର” କୁ ପ୍ରତିପାଦିତ କରେ ନାହିଁ । ଟିଭି ପରଦାରେ ପ୍ରସାରଣ କରାଯାଉଥିବା ଚିତ୍ର ପ୍ରକୃତରେ ବିବାହିତ ଦମ୍ପତିଙ୍କ ଅନ୍ତରଙ୍ଗତାକୁ ଅଧିକ ଗ୍ଲାମରସ କରୁଛି । ଏମିତି କରାଯିବା ସହ ଏହା ଇସଲାମିକ ସମାଜର ଶିକ୍ଷା ଓ ସଂସ୍କୃତିକୁ ଅବମାନନା କରୁଛି ।