ଢାକା: ବାଂଲାଦେଶର ରୋହିଙ୍ଗ୍ୟା ଟେନସନ ଥମିବାର ନାମ ନେଉନି । ସମୁଦ୍ରରେ ଥିବା ରୋହିଙ୍ଗ୍ୟାଙ୍କୁ ପ୍ରବେଶ ଅନୁମତି ଦେଉନଥିବାରୁ ମିଳିତ ଜାତିସଙ୍ଘ ପକ୍ଷରୁ ନିକଟରେ ଉଦବେଗ ପ୍ରକାଶ ପାଇଥିଲା । ଏନେଇ ବାଂଲାଦେଶ ସରକାରଙ୍କୁ ଚିଠି ମଧ୍ୟ ଲେଖାଯାଇଥିଲା ।
ପୁଣି ବୁଧବାର ଆଉ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ଗୁଳିରେ କକ୍ସ ବଜାରର ରାମୁ ଉପଜିଲ୍ଲାରେ ଜଣେ ରୋହିଙ୍ଗ୍ୟା ଶରଣାର୍ଥୀର ମୃତ୍ୟୁ ହୋଇଛି । ମୃତକର ପରିଚୟ 30 ବର୍ଷିୟ ଅବଦୁର ରସିଦ ପ୍ରକାଶ ଖୋରସେଦ ବୋଲି ଜଣାପଡିଛି । ସେ କୂଟୂପଲଙ୍ଗ ରୋହିଙ୍ଗ୍ୟା କ୍ୟାମ୍ପର ସି2 ବ୍ଲକରେ ରହୁଥିଲା । ଜୋଆରିଆନାଲା ୟୁନିଅନର ରୂବ୍ବେର ବାଗାନ ଅଞ୍ଚଳର ରାମୁ-ନାଇଖୋଙ୍ଗଚାରୀ ରାସ୍ତାରେ ଏହି ଘଟଣା ଘଟିଛି ।
ବୁଧବାର ସକାଳେ ଏଠାରେ ୟାବା ଡ୍ରଗ୍ସ ଚାଲାଣ ଖବର ପାଇ ପୋଲିସ ଘଟଣାସ୍ଥଳ ଯାଇଥିଲା । ତେବେ ପୋଲିସ ଉପରକୁ ପ୍ରଥମେ ଅବଦୁର ଗୁଳି ଚଲାଇବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଲାଇଥିଲା ଯେଉଁଥିରେ ତାହାର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ପୋଲିସ 3000 ୟାବା ବଟିକା, ଗୋଟିଏ ଏଲଜି ଗନ ଓ ମୋଟର ସାଇକେଲ ଜବତ କରିଛି । ମୃତଦେହ ପୋଷ୍ଟମୋର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଦେଶରେ ଆଉ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଜାଗା ଦେବେନି ବୋଲି ଘୋଷଣା କରିଥିଲେ । କୋଭିଡ 19 ପରିସ୍ଥିତି ଅସମ୍ଭାଳ ହେଉଥିବାରୁ ବାଂଲାଦେଶ ଅନ୍ୟ ଦେଶର ବୋଝ ମୁଣ୍ଡାଇବନି ବୋଲି ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ସମୁଦ୍ର ଭିତରେ 2ଟି ଡଙ୍ଗାରେ ଥିବା 500 ରୋହିଙ୍ଗ୍ୟାଙ୍କୁ ସୀମା ଭିତରେ ପଶିବାର ଅନୁମତି ଦିଆଯାଉନାହିଁ । ଯାହାକୁ ଲକ୍ଷ୍ୟ କରି ମିଳିତ ଜାତିସଙ୍ଘ ବାଂଲାଦେଶ ସରକାରଙ୍କୁ ପ୍ରବେଶ ଅନୁମତି ପାଇଁ ଚିଠି ଲେଖିଥିଲା ।