ବ୍ୟାଙ୍ଗକକ୍: କୋରୋନା ମୁକାବିଲା ପାଇଁ ଥାଇଲାଣ୍ଡରେ ଏବେ ସୁଦ୍ଧା ଜାରି ରହିଛି ଆପାତକାଳୀନ ସ୍ଥିତି । ଏମିତିରେ ଆସନ୍ତା ସୋମବାର ଅର୍ଥାତ୍ ଜୁନ 15ରୁ ରାତ୍ରିକାଳୀନ କର୍ଫ୍ୟୁ କୋହଳ ପାଇଁ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ରାତି 11ରୁ ଭୋର 3ଟା ପର୍ଯ୍ୟନ୍ତ ଦେଶରେ କର୍ଫ୍ୟୁ ଲାଗୁ ରହୁଥିଲା । ହେଲେ ଏବେ ଦିନତମାମ ଆପାତକାଳୀନ ସ୍ଥିତି ଲାଗୁ ରହିବା ସହ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ସେଣ୍ଟର ଫର୍ କୋଭିଡ-19 ସିଚୁଏସନ ଆଡମିନିଷ୍ଟ୍ରେସନ(ସିସିଏସଏ) ମୁଖପାତ୍ର ତାୱେସିନ ବିଶନୁୟୋଥିନ ।
ରାତ୍ରିକାଳୀନ କର୍ଫ୍ୟୁ ଛଡା ଦେଶରେ ଜାରି ରହିଥିବା ଅନ୍ୟ ସମସ୍ତ କଟକଣା ବଳବତ୍ତର ରହିବ ବୋଲି ତାୱେସିନ ସ୍ପଷ୍ଟ କରିଛନ୍ତି । ଦେଶରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ବିଦେଶରୁ ଫେରିଥିବାରୁ ମେ’ ମାସରୁ ଦେଶରେ ଯାତାୟତ ଉପରେ ସର୍ବାଧିକ କଟକଣା ଜାରି ରହିଛି । ସେପଟେ ସେ ଅଧିକ ସୂଚନା ଦେଇ କହିଛନ୍ତି କି ଦେଶରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟରେ ଲକଡାଉନ କୋହଳ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଦେଶର ସମସ୍ତ ବାର୍, ପବ୍ ଓ ରେସ୍ତୋରାଁ ବନ୍ଦ ରହିଛି ।